Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ, ୪ା୨: ଗତ ୩ ଦିନ ହେବ ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ସ୍ତରରେ ରହିଛି। ବଜେଟ ପ୍ରଭାବ ଉନ୍ନତ ରହିବାରୁ ୩ ଦିନ ହେବ ପୁଞ୍ଜିବଜାର କାରବାର ବଢ଼ିଚାଲିଛି। ଏହି ୩ ଦିନରେ ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ବୁଧବାର ୧୯୮.୪୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ପ୍ରଥମ ଥର ଲାଗି ସେନ୍‌ସେକ୍ସ ୫୦ ହଜାରରୁ ଊର୍ଦ୍ଧ୍ୱ ସ୍ତରରେ ବନ୍ଦ ହୋଇଛି। ଏହା ଐତିହାସିକ ରେକର୍ଡ ସ୍ତର ବୋଲି କୁହାଯାଉଛି। ଏହି ସମୟରେ ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୪୫୮.୦୩ ପଏଣ୍ଟ (୦.୯୨%) ଊର୍ଦ୍ଧ୍ୱରେ ରହିବା ଯୋଗୁ ୫୦,୨୫୫.୭୫ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ସେନ୍‌ସେକ୍ସ ୭୨୮.୬୭ ପଏଣ୍ଟ ବଢିବା ଯୋଗୁ ଏହା ୫୦,୫୨୬.୩୯ ପଏଣ୍ଟ ସ୍ତର ଛୁଇଁଥିଲା। ଗତ ୩ଟି କାରବାର ଦିବସରେ ସେନ୍‌ସେକ୍ସ ୩୯୬୯.୯୮ ବା ୮.୫୭% ବଢିଛି। ନିବେଶକଙ୍କ ମନୋଭାବ ଉନ୍ନତ ରହିବା ଯୋଗୁ ସେନ୍‌ସେକ୍ସରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୧୨.୩୧ ଲକ୍ଷ କୋଟି ଟଙ୍କା ବଢିଛି। ବୁଧବାର ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ଶେୟାର କାରବାର ୭.୬୫% ବଢିଛି। ୨୦୨୦ରେ ନିବେଶକଙ୍କ ସମ୍ପତ୍ତି ୩୨.୪୯ ଲକ୍ଷ କୋଟି ଟଙ୍କା ବଢ଼ିଛି।

Share