Categories: ବାଣିଜ୍ୟ

୨ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୧।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ମାନ୍ଦାବସ୍ଥାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡୁଥିବା ଦେଖାଦେଇଛି। ଏପରିକି ସୋମବାର ଭାରତୀୟ ଶେୟାର ବଜାର କାରବାର ହ୍ରାସ ସହ ବନ୍ଦ ହୋଇଛି। ଫଳରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୩୬୦.୯୫ ପଏଣ୍ଟ ହ୍ରାସ ସହ ୫୭,୬୨୮.୯୫ ଅଙ୍କରେ କାରବାର ବନ୍ଦ କରିଛି। ଏପରିକି ସେନସେକ୍ସର ୩୦ରୁ ୨୩ ଶେୟାରର କାରବାର କ୍ଷତିରେ ବନ୍ଦ ହୋଇଛି। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି ୧୧୧.୬୫ ପଏଣ୍ଟ ଖସି ୧୬,୯୮୮.୪୦ ଅଙ୍କରେ କାରବାର ବନ୍ଦ ହୋଇଛି, ଏଥିରେ ସାମିଲ ୫୦ ଶେୟାର ମଧ୍ୟରୁ କେବଳ ୧୦ ଶେୟାରର ବଜାର ଅଂଶ ଲାଭ କରିଥିବା ବେଳେ ୪୦ ଶେୟାରର କାରବାର ହ୍ରାସରେ ବନ୍ଦ ହୋଇଛି। ବିଶେଷ କରି ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ସୋମବାର ହ୍ରାସ ହୋଇ ୨୫୫.୫୪ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି। ପୂର୍ବ କାରବାର ଦିନରେ ଏହାର ପରିମାଣ ୨୫୭.୫୨ ଲକ୍ଷ କୋଟି ଟଙ୍କା ରହିଥିଲା। ଏପରିକି ବିଏସଇରେ ଲିଷ୍ଟେଡ୍‌ କମ୍ପାନୀଗୁଡିକର ମାର୍କେଟ୍‌ କ୍ୟାପ ସୋମବାର ପ୍ରାୟ ୨ (୧.୯୮) ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।
ଅପରପକ୍ଷରେ ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେରିକାର ବ୍ୟାଙ୍କିଙ୍ଗ୍‌ ସଂକଟକୁ ନେଇ ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏପରିକି ବିଶ୍ୱରେ ବ୍ୟାଙ୍କିଙ୍ଗ ସଂକଟକୁ ନେଇ ଚିନ୍ତା ଏବଂ ବିଶ୍ୱ ବଜାରରେ ନକାରାତ୍ମକ ସଂକେତ ମଧ୍ୟରେ ଆର୍ଥିକ, ସୂଚନା ପ୍ରଯୁକ୍ତି ଏବଂ ପୁଞ୍ଜିଗତ ବସ୍ତୁର ଶେୟାରରେ ଅଧିକ ବିକ୍ରି ଯୋଗୁ ଏଭଳି ହ୍ରାସ ଦେଖିବାକୁ ମିଳିଛି। ତେବେ ଫେଡେରାଲ ରିଜର୍ଭ ଏବଂ ଅନ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବ୍ୟାଙ୍କିଙ୍ଗ ସଂକଟକୁ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୂଚନାଯୋଗ୍ୟ ଏସିଆର ଅନ୍ୟ ବଜାର ମଧ୍ୟରେ ହଂକଂର ହେଂସେଂ, ଜାପାନର ନିକ୍କି, ଚାଇନାର ସାଂଘାଇ ସମ୍ପୋଜିଟ୍‌ ଏବଂ ଦକ୍ଷିଣ କୋରିଆର କାସ୍ପି କାରବାର ଶେଷରେ ହ୍ରାସ ସହ ବନ୍ଦ ହୋଇଛି।

Share