Categories: ବାଣିଜ୍ୟ

ଦିନକରେ ୩୫,୦୦୦ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୮।୭ (ଅଭୟ ଦାଶ):ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଉଛନ୍ତି। ଏପରିକି ଗୁରୁବାର ବଜାର କାରବାର ଶେଷ ସୁଦ୍ଧା ନିବେଶକ ପ୍ରାୟ ୩୫,୦୦୦ କୋଟି ଟଙ୍କା ହରାଇଛନ୍ତି। ବିଶେଷକରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଗୁଡିକର ମୋଟ ବଜାର ପୁଞ୍ଜି ଜୁଲାଇ ୨୭ରେ ୩୦୩.୯୫ ଲକ୍ଷ କୋଟି ଟଙ୍କାରେ ରହିଛି। ଏହା ପୂର୍ବ କାରବାର ଦିନ (ବୁଧବାର) ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ୩୦୩.୬୦ ଲକ୍ଷ କୋଟି ଟଙ୍କା ଥିଲା। ସେହିଭଳି ଶେୟାର ବଜାର ୨ ପ୍ରମୁଖ ସୂଚକାଙ୍କ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟିରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଜୁଲାଇ ୨୭ରେ ସେନ୍‌ସେକ୍ସ ୪୪୦ ପଏଣ୍ଟ ହ୍ରାସ ଘଟିଥିବାବେଳେ ନିଫ୍ଟି-୫୦ରେ ମଧ୍ୟ ୧୧୮ ପଏଣ୍ଟ କମିଛି। ତେବେ ବିଏସ୍‌ଇ ମିଡକ୍ୟାପ୍‌ ଶେୟାରଗୁଡିକରେ ବୃଦ୍ଧି ଯୋଗୁ ନିବେଶକମାନେ କିଛି ପରିମାଣରେ ଆଶ୍ୱସ୍ତି ଲାଭ କରିଛନ୍ତି। ଏପରିକି ବିଏସ୍‌ଇର ମିଡ୍‌କ୍ୟାପ୍‌ ଏବଂ ସ୍ମଲ୍‌କ୍ୟାପ୍‌ ସୂଚକାଙ୍କ ଯଥାକ୍ରମେ ୦.୪୮% ଏବଂ ୦.୦୭% ବୃଦ୍ଧି ସହ କାରବାର ବନ୍ଦ କରିଥିବାବେଳେ ସେକ୍ଟୋରଲ ଇଣ୍ଡେକ୍ସରେ ଅଟୋ, ଅଏଲ ଆଣ୍ଡ ଗ୍ୟାସ୍‌, ବ୍ୟାଙ୍କିଙ୍ଗ୍‌ ଏବଂ ଏନର୍ଜି ଆଦି ଶେୟାରଗୁଡିକରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଅପରପକ୍ଷରେ ଫାର୍ମା ଏବଂ ରିୟଲ୍ଟି କ୍ଷେତ୍ରର ଶେୟାରଗୁଡିକରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି।

Share