Categories: ବାଣିଜ୍ୟ

୫.୪ ଲକ୍ଷ କୋଟି ହରାଇଲେ ନିବେଶକ

ଭୁବନେଶ୍ୱର, ୨୩।୯: ଗତ ୨ ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କାରେ କାରବାର କରୁଛନ୍ତି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ବିଶେଷକରି ସେନ୍‌ସେକ୍ସର କାରବାର ଲଗାତର ଭାବେ ହ୍ରାସ ପାଉଛି। ସୋମବାର ୨୪୨ ପଏଣ୍ଟ, ବୁଧବାର ୭୯୬ ପଏଣ୍ଟ ଏବଂ ଗୁରୁବାର ୫୭୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଥିଲାବେଳେ ଶୁକ୍ରବାର ସେନ୍‌ସେକ୍ସ ୨୨୧ ପଏଣ୍ଟ ସହ ପ୍ରାୟ ୪ଟି କାର୍ଯ୍ୟଦିବସରେ ୧୮୦୦ରୁ ଅଧିକ ପଏଣ୍ଟ ହ୍ରାସ ହୋଇଥିବାରୁ ନିବେଶକମାନେ ୫.୪ ଲକ୍ଷ କୋଟିରୁ ଅଧିକ ନିବେଶ ହରାଇଛନ୍ତି। ଅପରପକ୍ଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ରେ ଚଳିତ ସପ୍ତାହର ବଜାର କାରବାର ଶେଷ ସୁଦ୍ଧା ମୋଟ ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେଶନ) ୩ ଲକ୍ଷ କୋଟି ଟଙ୍କାରୁ କମ୍‌ ହୋଇଛି ବୋଲି ବିଏସ୍‌ଇ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ସେନ୍‌ସେକ୍ସ କ୍ରମାଗତ ଭାବେ ୧୧ ଦିନ ପର୍ଯ୍ୟନ୍ତ କାରବାର ବୃଦ୍ଧି ସହ ଏକ ଏତିହାସିକ ବା ୧୬ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଥିଲା। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ମହଙ୍ଗା ହେବା ସହିତ ଡଲାର ତୁଳନାରେ ଟଙ୍କା ପରିମାଣ ଦୁର୍ବଳ ସ୍ଥିତି ଏବଂ କାନାଡା ସହିତ ଭାରତର କୂଟନୈତିକ ଉତ୍ତେଜନା ବଜାର କାରବାରେ ପ୍ରଭାବ ପକାଇବା ସହ ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଖସିଲା ଶେୟାର ବଜାର କାରବାର

କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳା ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଶୁକ୍ରବାର ବମ୍ବେ ଷ୍ଟକ ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୨୧ (୨୨୧.୦୯) ପଏଣ୍ଟ ଖସି ୬୬,୦୦୯ ( ୬୬,୦୦୯.୧୫ ) ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ୬୮ (୬୮.୧୦) ପଏଣ୍ଟ ହ୍ରାସ ଘଟି ୧୯,୬୭୪ (୧୯,୬୭୪.୨୫) ଅଙ୍କରେରେ କାରବାର ବନ୍ଦ କରିଥିଲା।
ଅପରପକ୍ଷରେ ଆମେରିକା ଫେଡେରାଲ ରିଜର୍ଭଙ୍କ ନିଷ୍ପତ୍ତି ପରେ ଘରୋଇ ବଜାରର କାରବାରରେ ଏକ ପ୍ରକାର ଆଶଙ୍କା ଦେଖାଦେଇଛି।
ଉଲ୍ଲେଖଯୋଗ୍ୟ,ବିଏସ୍‌ଇର ମିଡ୍‌କ୍ୟାପ୍‌ ଓ ସ୍ମଲ୍‌ କ୍ୟାପ୍‌ ଶେୟାରଗୁଡ଼ିକର ଇଣ୍ଡେକ୍ସ ସହିତ ଏନ୍‌ଏସ୍‌ଇ ନିଫ୍ଟିର ମିଡ୍‌ କ୍ୟାପ୍‌, ସ୍ମଲ୍‌ କ୍ୟାପ୍‌ ଓ ବ୍ୟାଙ୍କ ଶେୟାରଗୁଡିକ ମଧ୍ୟ ବ୍ୟାପକ ଭାବେ ହ୍ରାସ ଘଟିଥିବାବେଳେ ସେକ୍ଟୋରାଲ ଇଣ୍ଡେକ୍ସର କାରବାର ମଧ୍ୟ ହ୍ରାସ ଘଟିଛି।

Share