Categories: ବାଣିଜ୍ୟ

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ବଡ ଧରଣର କ୍ଷତି ସହୁଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୬୧ ଲକ୍ଷ କୋଟି ଥିଲା। ସୋମବାର ଶେୟାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୯ ଲକ୍ଷ କୋଟି ହ୍ରାସ ହୋଇ ୪୫୨ ଲକ୍ଷ କୋଟିରେ ପହଞ୍ଚତ୍ଛି। ଅପରପକ୍ଷରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାର ହ୍ରାସ କାରଣରୁ ଗତ ୬ଟି କାର୍ଯ୍ୟ ଦିବସ ମଧ୍ୟରେ ବଜାର ପୁଞ୍ଜି ପ୍ରାୟ ୨୫ ଲକ୍ଷ କୋଟି ହ୍ରାସ ଘଟିଛି। ଏପରିକି ଗତ ସପ୍ତାହରେ ଘରୋଇ ପୁଞ୍ଜି ବଜାରର ପରିମାଣ ୪୭୭ ଲକ୍ଷ କୋଟି ଥିଲାବେଳେ ଚଳିତ ସପ୍ତାହର ପ୍ରଥମ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୫୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାରର ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର କାରବାର ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ମଧ୍ୟ ହ୍ରାସ ଘଟିଛି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସଇ ସେନସେକ୍ସ ୬୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟି ୮୧,୦୫୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟ-୫୦ରେ ମଧ୍ୟ କାରବାର ୦.୮୭% କମି ପ୍ରାୟ ୨୪, ୭୯୬ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସଇ ମିଡକ୍ୟାପର କାରବାର ୧.୮୫% ଏବଂ ସ୍ମଲକ୍ୟାପର କାରବାରରେ ୩.୨୭ % ହ୍ରାସ ଘଟିଛି।
ସେହିଭଳି ନିଫ୍ଟି ମିଡକ୍ୟାପ କାରବାର ୨.୦୧% କମି ୫୭,୩୦୦.୨୦ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୨.୫୮% ହ୍ରାସ ଘଟି ୮୮୦୪.୪୫ ଅଙ୍କରେ ପହଞ୍ଚତ୍ଛି। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୧.୯୧ % କମି ୫୦,୪୭୮.୯୦ ଅଙ୍କରେ କାରବାର ବନ୍ଦ ହୋଇଥିଲା।

Share