ମୁମ୍ବାଇ: କରୋନା ସଂକ୍ରମଣ ମାମଲା ବଢ଼ିବାରୁ ଏହାର ପ୍ରଭାବ ପୁଣି ଥରେ ଶେୟାର ବଜାର ଉପରେ ପଡିଛି। ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ)ର ସେନ୍ସେକ୍ସ ୮୭୧.୧୩ ପଏଣ୍ଟ ବା ୧.୭୪% ହ୍ରାସ ହେବା ଯୋଗୁ ନିବେଶକ ୩.୨୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ସେନ୍ସେକ୍ସ ୪୯,୧୮୦ ପଏଣ୍ଟ ସ୍ତରକୁ ଖସିଛି। ଦିନ ମଧ୍ୟରେ ଏହା ୯୩୧ ପଏଣ୍ଟ ଖସିବା ଯୋଗୁ ୪୯,୧୨୦ ପଏଣ୍ଟ ସ୍ତରରେ ରହିଥିଲା। ଫଳରେ ବିଏସ୍ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୨୦୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ହୋଇଛି।
୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଶେୟାର କାରବାର ସବୁଠାରୁ ବେଶି ହ୍ରାସ ହେବା ଫଳରେ ୩.୯୭% ନିମ୍ନରେ ରହିଛି। ସେହିଭଳି ଏସ୍ବିଆଇ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଆଇଟିସି ଏବଂ ଏଲ୍ଆଣ୍ଡଟି ଭଳି କମ୍ପାନୀର ଶେୟାର କାରବାର ମଧ୍ୟ ପ୍ରଭାବିତ ହୋଇଛି। ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ଏସିଆନ ପେଣ୍ଟସ ଏବଂ ପାଓ୍ବାର ଗ୍ରୀଡ୍ର କାରବାର ଉନ୍ନତ ରହିଛି। ବିଏସ୍ଇରେ ରିୟାଲଟି, ମେଟାଲ, ଅଟୋ, ବ୍ୟାଙ୍କସ, ଇଣ୍ଡଷ୍ଟ୍ର୍ରିଆଲ ଏବଂ ଫାଇନାନ୍ସ ସୂଚୀ ୨.୯୩% ଖସିଛି। ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପ ସୂଚକାଙ୍କ ୧.୬୯% ହ୍ରାସ ହୋଇଛି।