ଲୋକତନ୍ତ୍ର ଉପରେ ଚର୍ଚ୍ଚା ନେଇ ୧୧୦ ଦେଶକୁ ଆମନ୍ତ୍ରଣ,ଚାଇନା-ତୁର୍କୀ ବାହାର…

ଓ୍ବାଶିଂଟନ,୨୪।୧୧: ଲୋକତନ୍ତ୍ର ଉପରେ ଆଲୋଚନା ପାଇଁ ଆମେରିକା ୯ ଏବଂ ୧୦ ଡିସେମ୍ବରରେ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜନ କରିଛି। ଏଥିରେ ଯୋଗଦେବା ପାଇଁ ଭାରତ ସମେତ ୧୧୦ ଦେଶକୁ ଆମେରିକା ଆମନ୍ତ୍ରଣ କରିଛି। କିନ୍ତୁ ଚାଇନାକୁ ଏହି ତାଲିକାରୁ ଦୂରେଇ ରଖିଥିବାବେଳେ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତାଇୱାନକୁ ନିମନ୍ତ୍ରଣ କରାଯାଇଛି। ଏହି କାରଣରୁ, ଆଗାମୀ ଦିନରେ ଆମେରିକା ଏବଂ ଚାଇନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଚାଇନା ସହିତ ତୁର୍କୀକୁ ମଧ୍ୟ ଆମେରିକା ବୈଦେଶିକ ବିଭାଗ ଦ୍ୱାରା ପ୍ରକାଶିତ ତାଲିକାରୁ ବାଦ ଦିଆଯାଇଛି।

ତୁର୍କୀ ନାଟୋର ସଦସ୍ୟ ଥିଲେ ମଧ୍ୟ ତାଲିକାରେ ଏହାକୁ ସ୍ଥାନ ମିଳିନି। ଦକ୍ଷିଣ ଏସିଆର ଦେଶ ମଧ୍ୟରେ ପାକିସ୍ତାନକୁ ଆମେରିକା ପକ୍ଷରୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଆଫଗାନିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ତାଲିକାରୁ ବାଦ ଦିଆଯାଇଛି। ଏହି ତାଲିକା ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟରେ ପ୍ରକାଶ ପାଇଛି।

ମଧ୍ୟପ୍ରାଚ୍ୟ ଦେଶ ମଧ୍ୟରେ ଇରାନକୁ ବାଦ ଦିଆଯାଇଛି। ଅପରପକ୍ଷରେ ଏବଂ ଇସ୍ରାଏଲକୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଛି। କେବଳ ଏତିକି ନୁହେଁ ଆମେରିକା ଏହାର ଆରବ ସହଯୋଗୀ ଇଜିପ୍ଟ, ସାଉଦି ଆରବ, ଜୋର୍ଡାନ, କାତାର ଏବଂ ୟୁଏଇକୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରି ନାହିଁ। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ବ୍ରାଜିଲକୁ ଆମନ୍ତ୍ରଣ କରିଛନ୍ତି।

ଆମେରିକା ମଧ୍ୟ ୟୁରୋପରୁ ଅନେକ ଦେଶକୁ ବାଦ୍‌ ଦେଇଛି। ପୋଲାଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ହଙ୍ଗେରୀ ନିମନ୍ତ୍ରଣ ପାଇନାହିଁ। ଆଫ୍ରିକୀୟ ଦେଶ ମଧ୍ୟରେ କଙ୍ଗୋ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ନାଇଜର ତାଲିକାରେ ସ୍ଥାନ ପାଇଛନ୍ତି।

ଚଳିତ ବର୍ଷ ଅଗଷ୍ଟରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବାକୁ ହ୍ବାଇଟ ହାଉସ ଘୋଷଣା କରିଥିଲା। ଏହି ଶିଖର ସମ୍ମିଳନୀ ଆୟୋଜନ କରିବାର ତିନୋଟି ମୁଖ୍ୟ ବିଷୟବସ୍ତୁ ରଖାଯାଇଛି, ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ସଂଗ୍ରାମ, ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ମାନବିକ ଅଧିକାରର ସମ୍ମାନ। ଏନେଇ ଚାଇନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

Share