ସ୍ତ୍ରୀଙ୍କୁ ନିଶା ଦେଇ ବଳାତ୍କାର ପାଇଁ ‘ଅତିଥି ନିମନ୍ତ୍ରଣ’

ପ୍ୟାରିସ୍‌,୨୩ା୬: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସବୁଦିନ ରାତିରେ ନିଶା ଦେଉଥିଲେ। ସେ ତାଙ୍କୁ ବଳାତ୍କାର କରିବା ଲାଗି ଅନ୍ୟ ପୁରୁଷମାନଙ୍କୁ ନିମନ୍ତ୍ରଣ କରୁଥିଲେ। ମହିଳା ଜଣକ ଏନେଇ କିଛି ଜାଣିପାରୁ ନ ଥିଲେ। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଏପରି ଚାଲିଥିଲା। ୧୦ ବର୍ଷ ମଧ୍ୟରେ ମହିଳାଙ୍କୁ କରାଯାଇଥିବା ବଳାତ୍କାରର ୯୨ଟି ମାମଲା ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି। ବଳାତ୍କାରୀମାନଙ୍କ ମଧ୍ୟରୁ ୫୧ ଜଣଙ୍କ ବୟସ ୨୬ରୁ ୭୩ ବର୍ଷ। ସେମାନଙ୍କୁ ଗିରଫ କରାଯାଇଥିବାବେଳେ ଅବଶିଷ୍ଟ ବଳାତ୍କାରୀମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି। ଫେରାର ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଲେଖାଏ ଟ୍ରକ୍‌ ଡାଇଭର, ମ୍ୟୁନିସିପାଲ କାଉନ୍‌ସିଲର, ବ୍ୟାଙ୍କ ଆଇଟି କର୍ମଚାରୀ, ଜେଲ ସୁରକ୍ଷାକର୍ମୀ, ନର୍ସ ଓ ଖବରଦାତା ରହିଛନ୍ତି।
ଫ୍ରାନ୍ସର ମଜାନ୍‌ରେ ରହୁଥିବା ଡୋମିନିକ୍‌ ପି. ନିଜ ସ୍ତ୍ରୀଙ୍କ ଖାଦ୍ୟରେ ଚିନ୍ତା ନିବାରକ ଔଷଧ ଲୋରାଜେପାମ୍‌ ମିଶାଉଥିଲେ। ସ୍ତ୍ରୀ ଖାଇବା ପରେ ଶୋଇପଡ଼ୁଥିଲେ। ଏହା ଦେଖି ସେ ତଥାକଥିତ ଅତିଥିମାନଙ୍କୁ ନିଜ ଘରକୁ ଡକାଉଥିଲେ ସୁପ୍ତ ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ। ‘ଅତିଥିମାନେ’ ତାଙ୍କୁ ବଳାତ୍କାର କରୁଥିବାବେଳେ ଡୋମିନିକ୍‌ ତା’ର ଭିଡିଓ ରେକର୍ଡିଂ କରି ଏକ ୟୁଏସ୍‌ବି ଡ୍ରାଇଭ୍‌ରେ ରଖୁଥିଲେ। ‘ଆବ୍ୟୁଜେସ୍‌’ ନାମକ ଉକ୍ତ ଫାଇଲକୁ ପୋଲିସ ଠାବ କରିଛି। ଅନେକ ‘ଅତିଥି’ ୨୦୧୧ରୁ ୨୦୨୦ ମଧ୍ୟରେ ବହୁବାର ବଳାତ୍କାର କରିଥିବା ତଦନ୍ତରୁ ଜଣାପଡ଼ିଛି।
ଡୋମିନିକ୍‌ ନିଜ ସ୍ତ୍ରୀଙ୍କୁ ୫୦ ବର୍ଷ ପାଇଁ ବିବାହ କରିଥିଲେ। ସେମାନଙ୍କ ୩ ସନ୍ତାନସନ୍ତତି ଅଛନ୍ତି। ସ୍ତ୍ରୀ ଯେପରି ନିଦରୁ ଉଠି ନ ପଡ଼ିବେ ସେଥିପାଇଁ ଡୋମିନିକ୍‌ ତମାଖୁ ସେବନ ଛାଡ଼ିଦେଇଥିଲେ ଏବଂ ପର୍ଫ୍ୟୁମ୍‌ ମଧ୍ୟ ବ୍ୟବହାର ମଧ୍ୟ କରୁ ନ ଥିଲେ। ଏପରି କି ହଠାତ୍‌ ତାପମାତ୍ରାରେ ପରିବର୍ତ୍ତନକୁ ଏଡ଼ାଇବା ପାଇଁ ସେ ଅତିଥିମାନଙ୍କୁ ଗରମ ପାଣିରେ ହାତ ଧୋଇବାକୁ ପ୍ରବର୍ତ୍ତାଉଥିଲେ। ପଡ଼ୋଶୀଙ୍କ ମଧ୍ୟରୁ କେହି ଯେପରି ସନ୍ଦେହ ନ କରିବେ ସେଥିପାଇଁ ନିକଟସ୍ଥ ଏକ ସ୍କୁଲରେ କାର୍‌ ଛାଡ଼ିଆସିବାକୁ ସେ କହୁଥିଲେ। ଗିରଫ ‘ଅତିଥି’ଙ୍କ ମଧ୍ୟରୁ ଅନେକେ କହିଛନ୍ତି, ଏହା ବଳାତ୍କାର ନୁହେଁ। କାରଣ ଯୌନ ସମ୍ପର୍କକୁ ନେଇ ମହିଳାଙ୍କ ଆପତ୍ତି ଥିବା ସେମାନେ ଜାଣି ନ ଥିଲେ। ମହିଳା ଜଣକ ଡିପ୍ରେସନ୍‌କୁ ଚାଲିଯିବା ପୂର୍ବରୁ ଡୋମିନିକ୍‌ଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share