Categories: ଜାତୀୟ

ରାମ ମନ୍ଦିର ଭୂମିପୂଜା ପାଇଁ ଆଡଭାନୀ, ଜୋଶୀଙ୍କ ସମେତ ୧୭୫ଲୋକଙ୍କୁ ପଠାଗଲା ନିମନ୍ତ୍ରଣ

ଲକ୍ଷ୍ନୌ,୧।୮: ଅଯୋଧ୍ୟାରେ ଅଗଷ୍ଟ ପ୍ରଥମ ସପ୍ତାହରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିପାଇଁ ରାମନଗରୀ ଏବେ ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଛି। ଭୂମିପୂଜା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କରୋନା କାଳରେ ଭୂମିପୂଜା ପାଇଁ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଜୋଶୀ, ଉମା ଭାରତୀ, ବିନୟ କଟିୟାର, ମନ୍ଦିର ଟ୍ରଷ୍ଟର ସଦସ୍ୟ ଓ ଦେଶର ସାଧୁସନ୍ଥଙ୍କ ସମେତ ୧୭୫ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କି କୌଣସି ଶିଳ୍ପପତିିଙ୍କୁ ନିମନ୍ତ୍ରଣ ପଠାଯାଇ ନ ଥିବା ଜଣାପଡ଼ିଛି। ସେହିପରି ମଞ୍ଚ ଉପରେ କେବଳ ୬ଜଣଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ମଞ୍ଚ ଉପରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ଓ ମହାସଚିବ ଚମ୍ପତ ରାୟ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Share