ଆତଙ୍କବାଦୀ କାର୍ଯ୍ୟରେ ଶିଶୁଙ୍କ ସମ୍ପୃକ୍ତି ଅତ୍ୟନ୍ତ ଚିନ୍ତା ଜନକ, ଜାତିସଂଘରେ ଉଦ୍‌ବେଗ ପ୍ରକାଶ କଲା ଭାରତ…

ଜେନେଭା,୨୧।୭ : ମିଳିତ ଜାତିସଂଘରେ ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ପିଲାମାନଙ୍କର ଯୋଗଦାନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘର ସ୍ଥାୟୀ ମିଶନରେ ଭାରତର ରାଷ୍ଟ୍ରଦୂତ ଆର.ରବିନ୍ଦ୍ର ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାମାନଙ୍କର ସମ୍ପୃକ୍ତିକୁ ଏକ ବିପଜ୍ଜନକ ଏବଂ ଚିନ୍ତାଜନକ ଧାରା ବୋଲି କହିଛନ୍ତି। ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆତଙ୍କବାଦ ଅପରାଧୀ ଏବଂ ସେମାନଙ୍କ ପୃଷ୍ଠପୋଷକମାନଙ୍କୁ ଉତ୍ତରଦାୟୀ କରିବା ଏବଂ ସୁରକ୍ଷା ପରିଷଦର ଶିଶୁ ସୁରକ୍ଷା ଦାୟିତ୍ୱକୁ ପୂରଣ କରିବା ପାଇଁ ଅଧିକ ରାଜନୈତିକ ଇଚ୍ଛାଶକ୍ତି କରିବାକୁ ମଧ୍ୟ ସେ ଅନୁରୋଧ କରଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ଉପରେ ଆଲୋଚନା ବେଳେ ଜାତିସଂଘରେ ଥିବା ସ୍ଥାୟୀ ମିଶନର ରାଷ୍ଟ୍ରଦୂତ ଆର ରବିନ୍ଦ୍ର କହିଛନ୍ତି ଯେ ବିଶ୍ୱ ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଯାଇଥିଲା ଏବଂ ଏହି ସମୟରେ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ଟାର୍ଗେଟ କରି ବ୍ୟବହାର କରିଥିଲେ। ହିଂସାତ୍ମକ ଚିନ୍ତାଧାରା ବିସ୍ତାର କରିବା ପାଇଁ ସେମାନେ ଅନଲାଇନ ଫୋରମର ମଧ୍ୟ ବ୍ୟବହାର କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦୀ ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ ଆତଙ୍କବାଦୀ ଗୋଷ୍ଠୀ ପିଲାମାନଙ୍କୁ ମାନବ ଢରଲ ଭାବରେ ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି।

ରବିନ୍ଦ୍ର କହିଛନ୍ତି ଯେ ଶିଶୁ ସୁରକ୍ଷା ତଥା ଆତଙ୍କବାଦ ବିରୋଧୀ ଏଜେଣ୍ଡା କାର୍ଯ୍ୟକାରୀ କରିବା ପାଇଁ ଅଧିକ ସମନ୍ବିତ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ ରିପୋର୍ଟ ପ୍ରକାଶ ପାଇବା ପରେ ଏକ ସପ୍ତାହ ପରେ ୟୁଏନଏସସିରେ ଆଲୋଚନା ହୋଇଥିଲା। ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ ୨୫ ପ୍ରତିଶତ ଅର୍ଥାତ୍‌ ୨,୨୫୭ ଶିଶୁଙ୍କର ଲ୍ୟାଣ୍ଡମାଇନ, ବିସ୍ଫୋରକ ସାମଗ୍ରୀ ଏବଂ ଯୁଦ୍ଧ ପରବର୍ତ୍ତୀ ବିସ୍ଫୋରକ ଅବଶିଷ୍ଟାଂଶର ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ଘଟିଛି।

ଏହି ରିପୋର୍ଟକୁ ନେଇ ଉଦବେଗ ପ୍ରକାଶ କରି ଭାରତ କହିଛି ଯେ ଏଥିରେ ଉଲ୍ଲେଖ କରାଯାଇଥିବା ପରିସ୍ଥିତି ସଶସ୍ତ୍ର ସଂଘର୍ଷର ପରିସ୍ଥିତି ନୁହେଁ। କିନ୍ତୁ ଆମେ ସଚେତନ ହେବା ଉଚିତ କାରଣ ଏହିପରି ପ୍ରୟାସ ଏଜେଣ୍ଡାକୁ ରାଜନୀତିକରଣ କରିବ। ଏହା ଆମର ଧ୍ୟାନକୁ ବିଭ୍ରାନ୍ତ କରିବ ଏବଂ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ତଥା ସଶସ୍ତ୍ର ସଂଘର୍ଷରେ ପିଲାମାନଙ୍କ ପ୍ରତି ହେଉଥିବା ପ୍ରକୃତ ବିପଦରୁ ଆମର ଧ୍ୟାନକୁ ହଟାଇବ ବୋଲି ରବିନ୍ଦ୍ର କହିଛନ୍ତି।

Share