ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ

ନୂଆଦିଲ୍ଲୀ,୫।୨: ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍‌ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ତଥା ତନୟା ପଟ୍ଟନାୟକଙ୍କଠାରୁ ଆଗାମୀ ଆବାହକ ତୁଶି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ତଥା କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନର ସହ-ପ୍ରତିଷ୍ଠାତା ପ୍ରୀତି ପଲ୍ଲବୀ ପଟ୍ଟନାୟକ ଏବଂ ଓ.ଏମ୍‌. କେଜିରିୱାଲ ଆଣ୍ଡ କୋର ସହଭାଗୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ କେଜ୍‌ରିୱାଲଙ୍କୁ ନେତୃତ୍ୱ ହସ୍ତାନ୍ତର କରାଯାଇଥିଲା। ତନୟା ପଟ୍ଟନାୟକ ନିଜର ପୂର୍ବ ଆବାହକ ଭୂମିକାରେ ଆଇଏନ୍‌ଡବ୍ଲ୍ୟୁଇସି ପ୍ରତି ଯଥେଷ୍ଟ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ପରିଷଦର ଉପଦେଷ୍ଟା କମିଟିର ସଦସ୍ୟ ଭାବେ ନିଜର ସହଯୋଗ ଜାରି ରଖିବେ। ଏପରିକି ତାଙ୍କର ଅଭିଜ୍ଞତା ଓ ଦୂରଦୃଷ୍ଟି ପରିଷଦର ଉତ୍ତରୋତ୍ତର ଉନ୍ନତି ଦିଗରେ ଯଥେଷ୍ଟ ସହାୟକ ହେବ। ସେହିଭଳି ପ୍ରୀତିପଲ୍ଲବୀ ପଟ୍ଟନାୟକ ଏବଂ ସ୍ବାତୀ କେଜ୍‌ରିୱାଲଙ୍କ ନେତୃତ୍ୱ ମଧ୍ୟ ଉଦ୍ୟୋଗୀ ନିଷ୍ଠା ଓ ଉଭୟଙ୍କ ବୃତ୍ତିଗତ ବିଶେଷତ୍ୱ ସହ ଆଗାମୀ ଦିନରେ ପରିଷଦକୁ ନେତୃତ୍ୱ ଉଚିତ ମାର୍ଗରେ ନେବ ବୋଲି ଆଇଏନ୍‌ଡବ୍ଲ୍ୟୁଇସ ଆସ୍ଥା ପ୍ରକଟ କରିଛି। ପରିଷଦ ସହ ଉଭୟଙ୍କ ପରିଚିତ ସଂସ୍ଥାକୁ ଏକ ଭିନ୍ନ ନେତୃତ୍ୱ ପ୍ରଦାନ କରିବ। ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ତନୟା ପଟ୍ଟନାୟକ,ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସେଲିବ୍ରିଟି ତଥା ସ୍ତମ୍ଭକାର ନିଶା ଜାମୱାଲ୍‌ଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜନ ହୋଇଥିଲା, ଯାହା ମହିଳା ଉଦ୍ୟୋଗୀମାନଙ୍କ ନାନା ସଫଳତା ତଥା ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା। ନିଶା ଜାମୱାଲଙ୍କୁ ପରିଷଦ ପକ୍ଷରୁ ଉପଦେଷ୍ଟା କମିଟିର ସଦସ୍ୟ ହେବାକୁ ନିମନ୍ତ୍ରଣ କରିବା ଆଲୋଚନାର ଅନ୍ୟ ଏକ ଦିଗ ପ୍ରତି ଦୃଷ୍ଟିପାତ କରିଥିଲା। ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ଆଇଏନ୍‌ଡବ୍ଲ୍ୟୁଇସିର ଆପ୍‌ ମଧ୍ୟ ଲୋକାର୍ପିତ ହୋଇଥିଲା। ଉକ୍ତ ଆପ୍‌ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଯୋଗାଯୋଗ ତଥା ନାନା ବୈଷୟିକ ଜ୍ଞାନ ଓ ସୂଚନା ପ୍ରଦାନ ନିମନ୍ତେ ଯଥେଷ୍ଟ ସହାୟକ ହେବ। ଏହି ଅବସରରେ ଆଇସିସି ଓଡ଼ିଶା ପରିଷଦର ଅଧ୍ୟକ୍ଷ ଜେ.ବି.ପାଣି ଉଦ୍‌ଘାଟନୀ ଉଦ୍‌ବୋଧନ ଦେବା ସହ ବରିଷ୍ଠ ଉପାଧ୍ୟକ୍ଷ ରାଜୀବ ସାହୁ ଉଦ୍‌ବୋଧନ ଅଭିଭାଷଣ ପ୍ରଦାନ କରିଥିଲାବେଳେ ଆଇସିସି ଓଡ଼ିଶାର ଆଳିକ ନିର୍ଦ୍ଦେଶକ ଜେ.ପି.ପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପରିଷଦର ପ୍ରାୟ ୮୦ସଦସ୍ୟଙ୍କ ସହ ଆଇସିସି ଓଡ଼ିଶାର ମୂଳ କମିଟି ସଦସ୍ୟଙ୍କ ଉପସ୍ଥିତି ମହିଳା ଉଦ୍ୟୋଗୀଙ୍କ ଉନ୍ନତି ଦିଗରେ ସହଯୋଗ ଓ ଏକତାର ନିଦର୍ଶନ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଏନଡବ୍ଲ୍ୟୁଇସିର ସର୍ବାଙ୍ଗୀନ ଉନ୍ନତି ଦିଗରେ ଏକ ମାଇଲଖୁଣ୍ଟ ହେବା ସହ ଆଗାମୀ ଦିନ ଉତ୍ତରୋତ୍ତର ଉନ୍ନତି ପାଇଁ ଏକ ନୂତନ ଦୃଷ୍ଟିଭଙ୍ଗୀର ଉଦାହରଣ ଥିଲା।

Share