Categories: ଖେଳ

ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଦଳକୁ ଆବଶ୍ୟକତା ଥିବା ବେଳେ ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ଦେଶ ତଥା ବିଦେଶର ଅନେକ କ୍ରିକେଟର ତାଙ୍କର ପ୍ରଶଂସକ ପାଲଟିଛନ୍ତି। ପାକିସ୍ତାନର ପୂର୍ବ ଅଧିନାୟକ ଇଞ୍ଜାମାମ୍‌ ଉଲ ହକ୍‌ ସେମାନଙ୍କ ମଧ୍ୟରୁ ଜଣେ। ସେ ପ୍ରଥମେ ପନ୍ତଙ୍କ ତୂଳନା ବିରେନ୍ଦ୍ର ସେହ୍ବାଗଙ୍କ ସହ କରିଥିଲେ। ହେଲେ ପନ୍ତ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଲେ ଏମ୍‌ଏସ୍‌ ଧୋନୀ ଏବଂ ଆଡାମ ଗିଲଖ୍ରୀଷ୍ଟଙ୍କ ଭଳି ଖେଳାଳିଙ୍କୁ ପଛରେ ପକାଇଦେବେ ବୋଲି ସେ କହିଛନ୍ତି।

ଗତ କିଛି ମାସ ଧରି ସେ ପନ୍ତଙ୍କ ଖେଳକୁ ଧ୍ୟାନର ସହ ଦେଖିଛନ୍ତି। ୨୩ ବର୍ଷୀୟ ଏହି ଖେଳାଳି ଯେଉଁଭଳି ଖେଳୁଛନ୍ତି ତାହା ମୋତେ ଚକିତ କରିଛି। ଭାରତୀୟ ଟିମ୍‌ର ନିମ୍ନକ୍ରମକୁ ପନ୍ତ ଶକ୍ତିଶାଳୀ କରିଛନ୍ତି। ସେ ବେଶ ଭଲ ଖେଳୁଥିବା ଯୋଗୁ ଭାରତର ସ୍କୋର ବଢ଼ିଥିଲା। ଗତ ୩୦-୩୫ ବର୍ଷ ମଧ୍ୟରେ କେବଳ ଦୁଇଜଣ ଉଇକେଟକିପରଙ୍କୁ ଦେଖିଛି। ଧୋନୀ ଏବଂ ଗିଲଖ୍ରୀଷ୍ଟ। ସେମାନେ ମ୍ୟାଚ୍‌ର ସ୍ଥିତି ପରିବର୍ତ୍ତନ କରିପାରିବାର କ୍ଷମତା ରଖୁଥିଲେ। ଏବେ ପନ୍ତ ତାହା କରୁଛନ୍ତି। ଯଦି ସେ ଏହିଭଳି ଖେଳନ୍ତି ତେବେ ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ବୋଲି ଇଞ୍ଜାମାମ୍‌ କହିଛନ୍ତି।