Categories: ବାଣିଜ୍ୟ

ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍କରରେ ପରିଣତ କଲା ଆଇଓସିଏଲ୍‌

ଭୁବନେଶ୍ୱର,୨୯।୪: ମେଡିକାଲ ଅକ୍ସିଜେନ ଯୋଗାଣକୁ ନଜରରେ ରଖି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଏହାର ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ରୂପାନ୍ତରିତ କରାଯାଇଛି। ମହାମାରୀ ଲଢ଼େଇରେ ସାମିଲ ହୋଇ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ା ପ୍ରଥମ ପର୍ଯ୍ୟାୟରେ ଏଲ୍‌ଏମ୍‌ଓ ଲୋଡ୍‌ ଯୁକ୍ତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ବୋକାରୋରୁ ବିହାରର ପାଟନାକୁ ପଠାଯାଇଛି। ଆଗାମୀ ଦିନରେ କମ୍ପାନୀ ଆଉ ୨୯ଟି ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଭାବେ ବ୍ୟବହାର କରିବ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଓଡ଼ିଶାର ୭ଟି ସ୍ଥାନ ସମେତ ଦେଶର ୯୩ଟି ସ୍ଥାନରେ ପ୍ରେସର ସ୍ବିଇଂ ଆଜର୍ପସନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ଜେନେରେଶନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ନିକଟରେ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଓଡ଼ିଶାରେ ଇଣ୍ଡିଆନ ଅଏଲ ପକ୍ଷରୁ ୩ଟି, ଏଚ୍‌ପିସିଏଲ୍‌ ଦ୍ୱାରା ୨ଟି ଏବଂ ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଦ୍ୱାରା ୨ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି।

Share