Categories: ଖେଳ

କ୍ରିକେଟ୍‌ରୁ କେବେ ନେବେ ଅବସର, ୪୧ ବର୍ଷୀୟ ଗେଲ୍‌ ଦେଲେ ଏମିତି ଉତ୍ତର

କ୍ରିକେଟର ପ୍ରାୟ ସବୁ ଫର୍ମାଟରେ ବୋଲର୍‌ଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ତାଙ୍କୁ ଏବେ ୪୧ ବର୍ଷ । କିନ୍ତୁ ଏବେ ଗେଲଙ୍କ ବ୍ୟାଟିଂରେ କୌଣସି ପରିବର୍ତ୍ତନ ଆସିନାହିଁ। ତେଣୁ ପ୍ରତ୍ୟେକ ମ୍ୟାଚରେ ପ୍ରଶଂସକମାନେ ତାଙ୍କ ବ୍ୟାଟିଂକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ସୋମବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଗେଲ ମାତ୍ର ୨୯ ବଲରୁ ୫୧ ରନ୍‌ର ଏକ ଇନିଂସ ଖେଳି କିଙ୍ଗସ ଏକାଦଶ ପଞ୍ଜାବକୁ କ୍ରମାଗତ ପଞ୍ଚମ ବିଜୟ ପ୍ରଦାନ କରିଛନ୍ତି। ମ୍ୟାଚ ପରେ ଗେଲ ତାଙ୍କ ଅବସର ଯୋଜନା ବିଷୟରେ କହିଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସେ କ୍ରିକେଟରୁ ଅବସର ନେବା କଥା ଚିନ୍ତା କରୁନାହାଁନ୍ତି। ମ୍ୟାଚ ପରେ କ୍ରିସ ଗେଲ ସାଥୀ ବ୍ୟାଟ୍ସମ୍ୟାନ୍‌ ମନଦୀପ ସିଂଙ୍କୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ମନଦୀପ ଗେଲଙ୍କୁ କ୍ରିକେଟରୁ କେବେ ଅବସର ନ ନେବାକୁ କହିଥିଲେ। ଏହା ପରେ ଗେଲ ହସି ହସି କହିଲେ, ଅବସର କଥା ଉଠାନ୍ତୁ ନାହିଁ। ମୁଁ ବର୍ତ୍ତମାନ ଅବସର ନେଉନାହିଁ। ମୁଁ ଯୁବ କ୍ରିକେଟର୍‌ଙ୍କ ସହ ଖେଳିବା ଜାରି ରଖିବି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କ୍ରିସ ଗେଲ ୨୧ ବର୍ଷ ଧରି କ୍ରମାଗତ କ୍ରିକେଟ ଖେଳୁଛନ୍ତି। ୧୯୯୯ରେ ସେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ।

Share