Categories: ଖେଳ

ଆଇପିଏଲ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ ,୩।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ-୧୪’ର ଦ୍ୱିତୀୟ ପର୍ଯ୍ୟାୟରେ ଇଂଲଣ୍ଡ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହା ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ସିରିଜ୍‌ ବାତିଲ ହେବା କାରଣରୁ ଇଂଲିଶ ଖେଳାଳିମାନଙ୍କ ପାଇଁ ଆଇପିଏଲରେ ଭାଗ ନେବାର ବାଟ ଫିଟିଛି। ଏ ନେଇ ଗ୍ରୀନ ସିଗନାଲ ଦେଇଛି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)।

”ଇଂଲିଶ ଖେଳାଳିମାନେ ଆଇପିଏଲର ଦ୍ୱିତୀୟ ଭାଗରେ ଖେଳିବା ପାଇଁ ଉପଲବ୍ଧ ରହିବେ। ଏହା ଇସିବି ଓ ବିସିବି ସହ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଭଲ ସମ୍ପର୍କକୁ ଦର୍ଶାଉଛି“ ବୋଲି ସୂତ୍ରରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ଓ ଅକ୍ଟୋବରରେ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳାଯିବାର ଥିଲା। କିନ୍ତୁ ଏହି ସିରିଜ୍‌କୁ ଟି୨୦ ବିଶ୍ୱକପ୍‌ ପରେ ଆୟୋଜନ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ନିଜାମୁଦ୍ଦିନ ଚୌଧୁରୀ। ଉଭୟ ଦଳ ଏବେ ଅତ୍ୟଧିକ ଅନ୍ତର୍ଜତୀୟ କ୍ରିକେଟ ଖେଳୁଛନ୍ତି। ଏଣୁ ସିରିଜ୍‌କୁ ବିଶ୍ୱକପ୍‌ ପରେ ଆୟୋଜନ କରିବାକୁ ଇସିବିକୁ ପ୍ରସ୍ତାବ ଦେଇଛୁ ବୋଲି ବିସିବି ମୁଖ୍ୟ କହିଛନ୍ତି।