ନୂଆଦିଲ୍ଲୀ,୫।୪: ଆଇପିଏଲ୍ର ୧୪ତମ ସିଜିନ୍ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ବିଷୟରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଲକ୍ଡାଉନ ହେଲେ ମଧ୍ୟ ଏଠାରେ ମ୍ୟାଚ ଅନୁଷ୍ଠିତ ହେବ। ଯଦି ମହାରାଷ୍ଟ୍ରରେ ଲକ୍ଡାଉନ ହେବ ତେବେ ଭଲ ହେବ, କାରଣ ସେତେବେଳେ ଅନେକ ଲୋକ ନଥିବେ। କେବଳ ଅଳ୍ପ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ। ଗତ ବର୍ଷ ୟୁଏଇରେ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମଧ୍ୟ ଏପରି କିଛି ଘଟଣା ଘଟିଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବା ପରେ ଜିନିଷଗୁଡ଼ିକ ଭଲରେ ଚାଲିଥିଲା। ସରକାରଙ୍କ ତରଫରୁ ମ୍ୟାଚ ଆୟୋଜନ କରିବାକୁ ଆମକୁ ସମସ୍ତ ଅନୁମତି ମିଳିଛି। ୧୦ ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ମୁମ୍ବାଇରେ କେବଳ ୧୦ଟି ମ୍ୟାଚ ଅନୁଷ୍ଠିତ ହେବ। ବାୟୋ ବବୁଲ ଭିତରେ କୌଣସି ଅସୁବିଧା ନାହଁି। ଆମର ଏକ ବହୁତ ସୁରକ୍ଷିତ ସେଟଅପ ଅଛି, ଯେଉଁଠାରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଗାଙ୍ଗୁଲି କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍ ଟି -୨୦ ଲିଗ ଏପ୍ରିଲ ୯ରୁ ଆରମ୍ଭ ହେବ। ମୁମ୍ବାଇରେ ୧୦ଟି ମ୍ୟାଚ ଖେଳାଯିବ।