Categories: ଖେଳ

ଅନ୍ୟ ଦଳଠାରୁ ଖେଳାଳି ଆଣିପାରେ ରାଜସ୍ଥାନ ରୟାଲ୍ସ

ମୁମ୍ବାଇ,୨୬।୪ : ବିଭିନ୍ନ କାରଣରୁ ବିଦେଶୀ ଖେଳାଳି ଚଳିତ ଆଇପିଏଲରୁ ଓହରି ଯିବା ପରେ ରାଜସ୍ଥାନ ରୟାଲ୍ସ ଅନ୍ୟ ଆଇପିଏଲ ଦଳଠାରୁ ଲୋନ ଆକାରରେ ଖେଳାଳିଙ୍କୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି।

ବେନ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚ୍ଚର ଆହତ ସମସ୍ୟା ଯୋଗୁ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଥିବାବେଳେ ବାୟୋ ବବ୍‌ଲରେ ରହି ରହି ଥକି ପଡ଼ିବାରୁ ଲିଆମ ଲିଭିଙ୍ଗଷ୍ଟୋନ ସ୍ବଦେଶ ଫେରିଛନ୍ତି। ଭାରତରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ଭୟରେ ଆଇପିଏଲରୁ ଓହରି ଯାଇଛନ୍ତି ଆଣ୍ଡ୍ର୍ୟୁ ଟାଇ।

ରାଜସ୍ଥାନ ଦଳ ଅନ୍ୟ ଦଳଠାରୁ ଲୋନ ଆକାରରେ ଖେଳାଳିଙ୍କୁ ନେବାକୁ ଚାହୁଁଛି। ଏଥି ନେଇ ଅନ୍ୟ ଫ୍ରାଞ୍ଚାଇଜକୁ ଲିଖିତ ଅନୁରୋଧ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି। ଆଇପିଏଲ ନିୟମ ଅନୁଯାୟୀ, ଚଳିତ ସିଜନରେ ଦଳ ପାଇଁ ୨ରୁ କମ୍‌ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କୁ ଲୋନ ଆକାରରେ ନିଆ ଯାଇପାରିବ। କିନ୍ତୁ ସେହି ଖେଳାଳି ହୋମ ଫ୍ରାଞ୍ଚାଇଜ ବିପକ୍ଷରେ ଖେଳି ପାରିବେ ନାହିଁ। ଆଉ ଏହି ପ୍ରକ୍ରିୟା ସୋମବାର(୨୬ ଏପ୍ରିଲ)ଠାରୁ ଆରମ୍ଭ ହୋଇଛି। ଏହା ଲିଗ୍‌ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ପର୍ଯ୍ୟନ୍ତ ଚାଲିବ।

Share