ନୂଆଦିଲ୍ଲୀ,୪।୪: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଆଇପିଏଲ ୨୦୨୧ର ଆୟୋଜନ ଉପରେ ପ୍ରଶ୍ନ ଉଠିଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ରବିବାର ଏକ ବଡ ଘୋଷଣା କରିଛି। ବୋର୍ଡ ଅନୁଯାୟୀ କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କୁ କରୋନା ଟିକା ସୁପାରିଶ କରିବାକୁ କୁହାଯିବ। ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ, କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଟିକାକରଣ ହେଉଛି ଏକମାତ୍ର ସମାଧାନ। କରୋନା କେବେ ଶେଷ ହେବ ତାହା କେହି ଜାଣନ୍ତି ନାହିଁ ଏବଂ ଆପଣ ଏଥିପାଇଁ ଏକ ସମୟସୀମା ସ୍ଥିର କରିପାରିବେ ନାହିଁ। ଖେଳାଳିଙ୍କ ସୁରକ୍ଷା ପାଇଁ ଟିକାକରଣ ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ ସହିତ ଜଡିତ ୨୦ ଜଣ ବ୍ୟକ୍ତି ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି। ଟି -୨୦ ଲିଗ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ।