ମୁମ୍ବାଇ,୨।୩: ଆଗାମୀ ଆଇପିଏଲ ପୂର୍ବରୁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆଇପିଏଲ-୧୫ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୨୬ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ଲାଗି ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି କୁହାଯାଇଛି।
ମହାରାଷ୍ଟ୍ରର ପର୍ଯ୍ୟଟନ ଏବଂ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ, ବିସିସିଆଇର କାର୍ଯ୍ୟକାରୀ ସିଇଓ ହେମଙ୍ଗା ଆମିନ ଏବଂ ମୁମ୍ବାଇ କ୍ରିକେଟ ଆସୋସିଏଶନର ମୁଖ୍ୟ ଅଧିକାରୀଙ୍କ ମଧ୍ୟରେ ଟୁର୍ନାମେଣ୍ଟ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଲିଗ୍ ପର୍ଯ୍ୟାୟ ବେଳେ ୧୦ ଦଳର ଅଭ୍ୟାସ ପାଇଁ ବିସିସିଆଇ ମହାରାଷ୍ଟ୍ରରେ ୫ ଭେନ୍ୟୁ ଚିହ୍ନଟ କରିଛି। ସେଗୁଡ଼ିକ ହେଲା ବିକେସିସ୍ଥିତ ଏମ୍ସିଏ ଗ୍ରାଉଣ୍ଡ, କ୍ରିକେଟ୍ କ୍ଲବ ଅଫ୍ ଇଣ୍ଡିଆ (ସିସିଆଇ)ରେ ଥିବା ବ୍ରାବୋର୍ନେ ଷ୍ଟାଡିୟମ, ନବି ମୁମ୍ବାଇସ୍ଥିତ ଡି ଓ୍ବାଇ ପାଟିଲ ଷ୍ଟାଡିୟମ, ରିଲାଏନ୍ସ କର୍ପୋରେଟ ପାର୍କ ଏବଂ ଥାଣେର ଏମ୍ସିଏ ଗ୍ରାଉଣ୍ଡ।