Categories: ଖେଳ

ଜାଡେଜାଙ୍କୁ ଅନ୍‌ଫଲୋ କଲା ଚେନ୍ନାଇ

ମୁମ୍ବାଇ,୧୨।୫: ଗତ ୧୦ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରି ଦେଇଛି ଏହି ଫ୍ରାଞ୍ଚାଇଜ। ଆହତ ସମସ୍ୟା ଯୋଗୁ ଜାଡେଜା ଚଳିତ ଆଇପିଏଲ୍‌ର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ତାଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଲିଗ୍‌ରୁ ବାଦ୍‌ ପଡ଼ିବା ଏବଂ ଇନ୍‌ଷ୍ଟାଗ୍ରାମରେ ସିଏସ୍‌କେ ଅନ୍‌ଫଲୋ କରିବା ଦ୍ୱୟ ଘଟଣା ଯୋଗୁ ଫ୍ରାଞ୍ଚାଇଜ ଓ ଅଲରାଉଣ୍ଡରଙ୍କ ମଧ୍ୟରେ କିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ଜାଡେଜାଙ୍କୁ ପ୍ରଥମ ଖେଳାଳି ଭାବେ ସିଏସ୍‌କେ ୧୬ କୋଟି ଟଙ୍କାରେ ରିଟେନ କରିଥିଲା। ଆଇପିଏଲ୍‌ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। କିନ୍ତୁ ତାଙ୍କ ନେତୃତ୍ୱରେ ଦଳକୁ ୮ ମ୍ୟାଚ୍‌ରେ ୬ଟିରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏପରି କି ଜାଡେଜା ଫର୍ମ ମଧ୍ୟ ହରାଇଥିଲେ। ସେ ୧୦ ମ୍ୟାଚ୍‌ରେ ୧୧୬ ରନ୍‌ କରିବା ସହ ୫ ଉଇକେଟ ନେଇଥିଲେ। ତା’ ପରେ ନିଜ ଖେଳ ଉପରେ ଧ୍ୟାନ ଦେବା ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ଧୋନୀ ନେତୃତ୍ୱ ନେବା ପରେ ସିଏସ୍‌କେ ୩ରୁ ୨ ମ୍ୟାଚ୍‌ ଜିତିଛି।

Share