ନୂଆଦିଲ୍ଲୀ,୨୧।୫: ଚଳିତ ଆଇପିଏଲ୍ ସିଜିନର ଶନିବାର ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଏହି ମ୍ୟାଚର ଫଳାଫଳ ପରେ ପ୍ଲେ-ଅଫ ଲାଇନ ଅପ୍ ଚୂଡ଼ାନ୍ତ ହେବ।
ଅନ୍ୟପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବା ସହ କର ବା ମର ସ୍ଥିତି ରହିଛି। ପ୍ଲେ-ଅଫ୍ରେ ପହଞ୍ଚିବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ ଜିତିବାକୁ ପଡ଼ିବ। ତେଣୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ନିଜ ନିଜର ଅନ୍ତିମ ଲିଗ୍ ଖେଳିବେ। ଦିଲ୍ଲୀ କ୍ୟାପିଟାଲ୍ସ ୧୩ଟି ମ୍ୟାଚ ଖେଳି ୭ଟି ବିଜୟ ହୋଇ ୧୪ ପଏଣ୍ଟ ପାଇ ତାଲିକାର ୫ମ ସ୍ଥାନରେ ରହିଛି। ଯଦି ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଲିଗ୍ରେ ବିଜୟୀ ହୁଏ, ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଆଇପିଏଲ୍ ଅଭିଯାନ ଶେଷ ହୋଇଯିବ। ଏହାର ଫାଇଦା ଆର୍ସିବିକୁ ମିଳିଯିବ। ଏନେଇ ଆର୍ସିବିର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷେ ରିଷଭ ପନ୍ତଙ୍କ ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ୨ଟି ଲିଗ୍ରେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବକୁ ହରାଇଛି। ଫଳରେ ଏହି ମ୍ୟାଚ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ ଉତ୍ସାହିତ ରହିଛି।