Categories: ଖେଳ

ପ୍ଲେ ଅଫ୍‌ରେ ଏହି ୪ ଟିମ୍‌

ନୂଆଦିଲ୍ଲୀ,୨୨।୫: ଆଇପିଏଲ ୨୦୨୩ର ୧୬ତମ ସିଜନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ମେ’ ୨୩ରୁ ପ୍ଲେ ଅଫ୍‌ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ, ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଇପିଏଲ ୨୦୨୩ର ଲିଗ ପର୍ଯ୍ୟାୟ ଶେଷ ହେବା ପରେ ଗୁଜୁରାଟ ଟାଇଟାନ୍ସ ପ୍ରଥମ ସ୍ଥାନରେ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱିତୀୟ, ଲକ୍ଷ୍ନୌ ସୁପର ଜଏଣ୍ଟସ ତୃତୀୟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ନମ୍ବରରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଗୁଜୁରାଟ ଏବଂ ଚେନ୍ନାଇ ଏବଂ ଲକ୍ଷ୍ନୌ ଏବଂ ମୁମ୍ବାଇ ମଧ୍ୟରେ ଏଲିମିନେଟର ମୁକାବିଲା ହେବ।

ତେବେ ପ୍ରଥମ କ୍ୱାଲିଫାୟର ମ୍ୟାଚ ମେ’ ୨୩ ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଯଥା ଚେନ୍ନାଇର ଘରୋଇ ଗ୍ରାଉଣ୍ଡରେ ଖେଳାଯିବ। ଯିଏ ଏହି ମ୍ୟାଚ ଜିତିବେ, ସେ ଫାଇନାଲରେ ପ୍ରବେଶ କରିବେ। ଏଥି ସହିତ, ହାରିଥିବା ଦଳ ଫାଇନାଲକୁ ଯିବାକୁ ଆଉ ଏକ ସୁଯୋଗ ପାଇବ।

ଏହା ପରେ, ମେ’ ୨୪ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଯିଏ ହାରିବ ସେ ବାହାରିଯିବ। ଅନ୍ୟପକ୍ଷରେ ବିଜେତା ଦଳ ପ୍ରଥମ କ୍ୱାଲିଫାୟରରେ ହାରିଥିବା ଦଳ ସହିତ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ଖେଳିବ।

ମେ’ ୨୬ରେ ପ୍ରଥମ କ୍ୱାଲିଫାୟରରେ ହରିଥିବା ଦଳ ଏବଂ ଏଲିମିନେଟର୍‌ ମ୍ୟାଚ ଜିତିଥିବା ଦଳ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ୱିତୀୟ କ୍ୱାଲିଫାୟର ଖେଳିବ। ଅନ୍ୟପକ୍ଷରେ, ମେ’ ୨୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ଦଳର ବିଜେତା ଦଳ ଏବଂ ଦ୍ୱିତୀୟ କ୍ୱାଲିଫାୟର ଦଳର ବିଜେତା ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ।

Share