Categories: ଖେଳ

ଆଜି ପଞ୍ଜାବ-କୋଲକାତା ମୁହାଁମୁହିଁ

ମୋହାଲି,୧।୪: ଆଇପିଏଲ୍‌ ୨୦୨୩ର ଶନିବାର ଦ୍ୱିତୀୟ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ମୋହାଲିର ପଞ୍ଜାବ କ୍ରିକେଟ୍‌ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ହେବ। ଏଥର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନଙ୍କ ହାତରେ ଥିବା ବେଳେ ନୀତୀଶ ରାଣା କୋଲକାତାର ନେତୃତ୍ୱ ନେଉଛନ୍ତି। ଶ୍ରେୟାସ ଆୟରଙ୍କ ଆଘାତ ଯୋଗୁ ନୀତୀଶଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯାଇଛି।

ଏହି ଦୁଇ ଦଳ ମଧ୍ୟରେ ୩୦ଟି ମ୍ୟାଚ ଖେଳାଯାଇଛି। କୋଲକାତା ଦଳ ୨୦ଟି ମ୍ୟାଚ ଜିତିଥିବା ବେଳେ ପଞ୍ଜାବ ୧୦ଟି ବିଜୟ ରହିଛି। ତେବେ ଗତ ଚାରିଟି ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରକୁ ପରାସ୍ତ କରିଛନ୍ତି।

ଆୟରଙ୍କ ଅନୁପସ୍ଥିତିରେ କେକେଆର୍‌କୁ ଜିତିବାରେ ଆଣ୍ଡ୍ରେ ରସେଲ ଏବଂ ସୁନୀଲ ନାରିନଙ୍କ ଉପରେ ନିର୍ଭର କରିବ। ଅନ୍ୟପକ୍ଷେ ପଞ୍ଜାବ କିଙ୍ଗ୍ସ ଜନି ବେୟାରଷ୍ଟୋଙ୍କୁ ଅଧିକ ମିସ୍‌ କରିବେ। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆହତ କାରଣରୁ ଦୀର୍ଘ ଦିନ ହେଲା ପଡ଼ିଆରୁ ଦୂରରେ ଥିବା ବେଳେ ଆଇପିଏଲ୍‌ ୨୦୨୩ରେ ମଧ୍ୟ ସେ ଉପଲବ୍ଧ ନାହାନ୍ତି। ଯଦିଓ ବ୍ୟାଟିଂ ଏବଂ ବୋଲିଂରେ ପଞ୍ଜାବର ଭଲ ସନ୍ତୁଳନ ରହିଛି, ତେବେ ଆଜିର ମ୍ୟାଚରେ ମଧ୍ୟ ମହାମୁକାବିଲା ଦେଖିବାକୁ ମିଳିବ। ମ୍ୟାଚ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ। ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ନେଟୱର୍କର ବିଭିନ୍ନ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା’ ଆପରେ ଉପଲବ୍ଧ ହେବ।

 

Share