Categories: ଖେଳ

ଶାର୍ଦ୍ଦୂଳ,ଗୁରବାଜଙ୍କ ଅର୍ଦ୍ଧଶତକ

କୋଲକାତା,୭ା୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜ। ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ ରାଇଡର୍ସ(କେକେଆର) ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୦୪ ରନ୍‌ ସଂଗ୍ରହ କରିଛି। ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଓ୍ବିଲିଙ୍କ ଡବଲ୍‌ ବ୍ଲୋ
ଟସ୍‌ ହାରି ବ୍ୟାଟିଂ କରିଥିବା ଘରୋଇ କେକେଆର୍‌କୁ ଭଲ ଆରମ୍ଭ ଦେଇଥିଲେ ଗୁରବାଜ୍‌। ଭେଙ୍କଟେଶ ଆୟରଙ୍କ ସହିତ ୩ ଓଭରେ୨୬ ରନ୍‌ ଯୋଡିଥିଲେ। ଚତୁର୍ଥ ଓଭର ବୋଲିଂ କରୁଥିବା ଡେଭିଡ୍‌ ଓ୍ବିଲି ମେଡେନ୍‌ ଦୁଇ ଉଇକେଟ ନେବା ସହିତ ରନ୍‌ ଗତିରେ ଅଙ୍କୁଶ ଲଗାଇଥିଲେ। ଲଗାତାର ବଲ୍‌ରେ ଭେଙ୍କଟେଶ ଆୟାର(୩) ଓ ମନ୍‌ଦୀପ୍‌ ସିଂ(୦)ଙ୍କୁ ସେ ଆଉଟ କରିଥିଲେ। ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ଗୁରବାଜ ୪୪ ବଲ୍‌ ଖେଳି ୬୩ ରନ୍‌ କରିଥିଲେ। ଅଧିନାୟକ ନୀତିଶ ରାଣା (୧) ରନ୍‌ କରି ମାଇକେଲ୍‌ ବ୍ରେସଓ୍ବେଲଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୮୯ ରନ୍‌ରେ ପୁଣି ଥରେ ଡବଲ୍‌ ଝଟକା ଦେଇଥିଲେ କର୍ନ ଶର୍ମା। ଲଗାତାର ବଲ୍‌ରେ ସେ ଗୁରବାଜ ଓ ଆନ୍ଦ୍ରେ ରସେଲ୍‌ଙ୍କୁ ଆଉଟ କରିଥିଲେ।
ଶାର୍ଦ୍ଦୂଳ-ରିଙ୍କୁଙ୍କ କାଉଣ୍ଟର ଆଟାକ୍‌
୮୯ ରନ୍‌ରେ ୫ ଉଇକେଟ ହରାଇ କେକେଆର୍‌ ସଙ୍କଟରେ ଥିବା ବେଳେ ଶତକୀୟ ଭାଗୀଦାରି କରିଥିଲେ ଶାର୍ଦ୍ଦୂଳ ଠାକୁର(୬୮) ଓ ରିଙ୍କୁ ସିଂ(୪୬)। ଉଭୟ ଖେଳାଳି ୪୫ ବଲ୍‌ ଖେଳି ୧୦୩ ରନ୍‌ ଯୋଡିଥିଲେ। ଶାର୍ଦ୍ଦୂଳ ୨୯ ବଲ୍‌ ଖେଳି ୯ ଚୌକା ଓ ୩ ଛକା ମାରିଥିଲେ। ରିଙ୍କୁ ସିଂ ୩୩ ବଲ୍‌ ଖେଳି ୨ ଚୌକା ଓ ୩ ଛକା ମାରଥିଲେ। ଆରସିବି ପକ୍ଷରୁ ଡେଭିଡ୍‌ ଓ୍ବିଲି ଓ କର୍ନ ଶର୍ମା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଇକେଲ ବ୍ରେସଓ୍ବେଲ, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆରସିବି ବୋଲର ମାନେ ୨୩ ଅତିରିକ୍ତ ରନ୍‌ ପ୍ରଦାନ କରିଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୨୦୪/୭(ଶାର୍ଦ୍ଦୂଳ
ଠାକୁର-୬୮, ରହମାନୁଲ୍ଲା ଗୁରବାଜ-୫୭, ରିଙ୍କୁ ସିଂ-୪୬, ଡେଭିଡ୍‌ ଓ୍ବିଲି-୨/୧୬, କର୍ନ ଶର୍ମା-୨/୨୬, ମାଇକେଲ ବ୍ରେସଓ୍ବେଲ-୧/୩୪)।

Share