Categories: ଖେଳ

ପଞ୍ଚମ ବିଜୟ ସହ ଦ୍ୱିତୀୟରେ ସନ୍‌ରାଇଜର୍ସ

ନୂଆଦିଲ୍ଲୀ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୬୭ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୭ ମ୍ୟାଚରୁ ୫ମ ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏକାଧିକ ରେକର୍ଡ ବିଶିଷ୍ଟ ମ୍ୟାଚରେ ସନ୍‌ରାଇଜର୍ସ ୨୦ ଓଭରରେ ୭ ଉଇକେଟ ହରାଇ ୨୬୬ ରନ କରିଥିଲା।

୨୬୭ ରନ ବିଜୟ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ ୧୯୯ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ୧୫ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜ୍ୟାକ ଫ୍ରାସର-ମ୍ୟାକଗ୍ରୁକ୍‌ ୧୮ ବଲ୍‌ରୁ ୬୫ (୫ ଚୌକା, ୭ ଛକା) ରନ କରିଥିଲେ ହେଁ ଅନ୍ୟ କୌଣସି ବ୍ୟାଟର ସେପରି ଦ୍ରୁତ ହାରରେ ରନ ସଂଗ୍ରହ କରିପାରି ନ ଥିଲେ। ଅଧିନାୟକ ରିଷଭ ପନ୍ତ ୩୫ ବଲ୍‌ରୁ ୪୪, ଅଭିଷେକ ପୋରେଲ ୨୨ ବଲ୍‌ରୁ ୪୨ ରନର ଯୋଗଦାନ ଦେଇଥିବାବେଳେ ଅନ୍ୟମାନେ ବିଫଳ ହୋଇଥିଲେ।

ସନ୍‌ରାଇଜର୍ସ ପକ୍ଷରୁ ଟି. ନଟରାଜନ ସର୍ବାଧିକ ୪ଟି, ମୟଙ୍କ ମାର୍କଣ୍ଡେ ଓ ନୀତୀଶ କୁମାର ରେଡ୍ଡୀ ୨ଟି ଲେଖାଏ ଏବଂ ଓ୍ବାଶିଂଟନ ସୁନ୍ଦର ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share