Categories: ଖେଳ

ଆଣ୍ଡି ଫ୍ଲାଓ୍ବାର ଆର୍‌ସିବି ମୁଖ୍ୟ କୋଚ୍‌

ବେଙ୍ଗାଲୁରୁ, ୫ା୮: ଅଭିଜ୍ଞ ଆଣ୍ଡି ଫ୍ଲାଓ୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ମାଇକ୍‌ ହେସନ ଓ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବରୁ ଦଳର ଡାଇରେକ୍ଟର ଅଫ୍‌ କ୍ରିକେଟ ଅପରେଶନ ଏବଂ ମୁଖ୍ୟ କୋଚ୍‌ ରହିଥିବା ହେସନ ଓ ବାଙ୍ଗରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥିଲା। ମାତ୍ର ଫ୍ରାଞ୍ଚାଇଜ ସେମାନଙ୍କ କାର୍ଯ୍ୟକାଳ ମିଆଦକୁ ବୃଦ୍ଧି କରିବା ଲାଗି ଆଉ ଚାହିଁ ନ ଥିଲା। ଆରସିବିର ମୁଖ୍ୟ ତଥା ଉପସଭାପତି ରାଜେଶ ମେନନଙ୍କର ଲଣ୍ଡନରେ ଫ୍ଲାଓ୍ବାରଙ୍କ ସହ ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଫ୍ଲାଓ୍ବାରଙ୍କ ନାମକୁ ମେନନ ସୁପାରିସ କରିଥିଲେ। ଫ୍ଲାଓ୍ବାର କୁଆଡେ କହିଥିଲେ, ୨୦୨୪ରେ ସେ ଆରସିବିକୁ ଆଗେଇ ନେବାକୁ ଚାହୁଁଛନ୍ତି। ଫ୍ଲାଓ୍ବାର ଇଂଲଣ୍ଡ କ୍ରିକେଟ ଦଳ ସହିତ ଦୀର୍ଘ ୧୨ ବର୍ଷ ସଂଶ୍ଲିଷ୍ଟ ଥିଲେ। ଜିମ୍ବାଓ୍ବେର ଏହି ପୂର୍ବତନ କ୍ରିକେଟର ପ୍ରଥମେ ୨୦୦୭ରେ ପିଟର ମୁର୍‌ସଙ୍କ ଅଧୀନରେ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଏହାର ଦୁଇ ବର୍ଷ ପରେ ସେ ମୁଖ୍ୟ କୋଚ୍‌ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ। ସେ ମୁଖ୍ୟ କୋଚ୍‌ ରହିଥିବା ବେଳେ ଇଂଲଣ୍ଡ ଟେଷ୍ଟ ଦଳ ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ଦଳରେ ପରିଣତ ହୋଇଥିଲା। ୨୦୧୦ ଦଳ ଟି୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ସହ ୨୦୧୦-୧୧ରେ ଅଷ୍ଟ୍ରେଲିଆରେ ଆଶେସ ସଫଳତା ହାସଲ କରିଥିଲା।

Share