ବେଙ୍ଗାଲୁରୁ,୧୧।୪: IPL 2025ରେ, RCB ନିଜ ଘରୋଇ ଗ୍ରାଉଣ୍ଡରେ ଏକ ଶୋଚନୀୟ ପରାଜୟ ବରଣ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଉଇକେଟରେ ପରାସ୍ତ କରିଛି। ୧୬୪ ରନର ଟାର୍ଗେଟକୁ ରୋକିବାକୁ ବେଙ୍ଗାଲୁରୁ ଓହ୍ଲାଇଥିଲା ଏବଂ ଜବାବରେ ସେମାନଙ୍କର ଆରମ୍ଭ ମଧ୍ୟ ଭଲ ଥିଲା କାରଣ ଦିଲ୍ଲୀ ୩୦ ରନ ସ୍କୋରରେ ୩ ଉଇକେଟ ହରାଇଥିଲା। କିନ୍ତୁ କେଏଲ ରାହୁଲଙ୍କ ୯୩ ରନର ଅପରାଜିତ ଇନିଂସ ଆରସିବି ଦଳ ପାଇଁ ମୁଣ୍ଡବିନ୍ଧା ସାବ୍ୟସ୍ତ ହୋଇଥିଲା। ଏହି ପରାଜୟ ପରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିରାଟ କୋହଲି ଦିନେଶ କାର୍ତ୍ତିକଙ୍କ ସହ ରାଗି କଥା ହେଉଥିବାର ଦେଖାଯାଉଛି। ଏହା ଦ୍ୱାରା ଆରସିବି ଦଳ ଭିତରେ ସବୁକିଛି ଠିକ ନ ଥିବା ଗୁଜବ ଉଠୁଛି।
ଏହି ଭିଡିଓଟି ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସର ୧୬ତମ ଓଭରର। କେଏଲ ରାହୁଲ ଆକ୍ରମଣାତ୍ମକ ଢଙ୍ଗରେ ସଟ ମାରିବା ଆରମ୍ଭ କରିଥିଲେ, ତା’ପରେ କୋହଲି ଆରସିବି ବ୍ୟାଟିଂ କୋଚ ଦିନେଶ କାର୍ତ୍ତିକଙ୍କ ସହ ରାଗିକି କଥା ହେଉଥିବାର ଦେଖାଯାଇଥିଲା। ଏହି ଭିଡିଓରୁ ଅନୁମାନ କରାଯାଉଛି କୋହଲି ବେଙ୍ଗାଲୁରୁ ଅଧିନାୟକ ରଜତ ପଟିଦାରଙ୍କ ଉପରେ ଖୁସି ନାହାନ୍ତି। ହିନ୍ଦୀ କମେଣ୍ଟ୍ରି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଏବଂ ବୀରେନ୍ଦ୍ର ସେହ୍ବାଗ କହିଥିଲେ ,ଯଦି ବିରାଟ କୌଣସି ନିଷ୍ପତ୍ତିରେ ଅସନ୍ତୁଷ୍ଟ, ତେବେ ସେ ଏ ବିଷୟରେ ଅଧିନାୟକ ପଟିଦାରଙ୍କ ସହ କଥା ହେବା ଉଚିତ।
ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟର ହିରୋ ସାଜିଥିଲେ କେଏଲ ରାହୁଲ। ସେ ୫୩ ବଲ୍ରେ ୯୩ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୭ ଚୌକା ଏବଂ ୬ ଛକା ମଧ୍ୟ ମାରିଥିଲେ। ରାହୁଲ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୧୯୫ ରନ କରିଛନ୍ତି।