Categories: ଖେଳ

ସୁପର ଓଭର୍‌ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍‌ ଗେଲ୍‌

ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର ପୂର୍ବରୁ ପଞ୍ଜାବ ଖେଳାଳିମାନେ ନର୍ଭସ ଥିବା ଜଣାପଡୁଥିଲେ। କିନ୍ତୁ ଟି-୨୦ର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ସୁପର ଓଭର ପୂର୍ବରୁ ନର୍ଭସ ନ ଥିଲେ କିନ୍ତୁ ଦଳର ଖରାପ ପ୍ରଦର୍ଶନକୁ ନେଇ ସେ ରାଗିଯାଇଥିଲେ। ମ୍ୟାଚ୍‌ ପରେ ମୟଙ୍କ ଅଗ୍ରୱାଲଙ୍କ ସହ ଏକ ବାର୍ତ୍ତାଳାପରେ ସେ ଏହା ପ୍ରକାଶ କରିଛନ୍ତି। ଗେଲ ଏବଂ ମୟଙ୍କ ହିଁ ଦ୍ୱିତୀୟ ସୁପର ଓଭରରେ ପଞ୍ଜାବକୁ ଜିତାଇଥିଲେ। ଶେଷ ଓଭରରେ ଜିତିବା ପାଇଁ ପଞ୍ଜାବକୁ ୯ ରନ ଆବଶ୍ୟକ ଥିଲା। ଶେଷ ବଲରେ ଦୁଇ ରନ ଜିତିବାକୁ ଥିବାବେଳେ କ୍ରିସ ଗେଲ୍‌ କେବଳ ଗୋଟିଏ ରନ ସ୍କୋର କରିପାରିଥିଲେ। ମ୍ୟାଚ ପରେ ମୟଙ୍କ ଅଗ୍ରୱାଲ, ମହମ୍ମଦ ଶାମି ଏବଂ ଗେଲଙ୍କ ସହ କଥାବାର୍ତ୍ତା ସମୟରେ, ଗେଲଙ୍କୁ ପଚାରିଥିଲେ ଯେ ସେ ସମୟରେ ନର୍ଭସ ଥିଲେ କି? ଏହି ପ୍ରଶ୍ନର ଉତ୍ତରରେ ଗେଲ କହିଛନ୍ତି, ମୁଁ ନର୍ଭସ ନ ଥିଲି। ମୁଁ ରାଗରେ ଥିଲି। ମୁଁ ବିରକ୍ତ ହୋଇଯାଇଥିଲି କାରଣ ଆମେ ନିଜକୁ ଏହି ପରିସ୍ଥିତିରେ ଆଣିଛୁ। କିନ୍ତୁ ଏହା ବି ସ୍ବୀକାର କରିବାକୁ ପଡିବ ଯେ ଏଭଳି ଘଟଣା କ୍ରିକେଟରେ ଘଟେ।