ଓଡ଼ିଆ ଭାଷାରେ ଆଇପିଏଲ୍‌ କମେଣ୍ଟ୍ରି ବନ୍ଦ

ଭୁବନେଶ୍ୱର,୩୦।୩(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଭାଷାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଯେତିକି ଗୁରୁତ୍ୱ ମିଳିବା କଥା ସେତିକି ମିଳୁନାହିଁ। ଭାଷାର ବ୍ୟବହାର କମୁଛି। ଓଡ଼ିଶାର କିଛି ବି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ଗଲେ ସମସ୍ତେ ସିନା ଖୁସି ହୋଇ ଗର୍ବର କଥା ବୋଲି କହୁଛନ୍ତି, ମାତ୍ର କ୍ରମାଗତ ଭାବେ କିଭଳି ଓଡ଼ିଶା, ଓଡ଼ିଆ ଭାଷା ବିଶ୍ୱ ଦରବାରରେ ବଜାୟ ରହିବ ସେ ନେଇ ସେପରି ପ୍ରୟାସ ହେଉନାହିଁ। ଗତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କ୍ରିକେଟ ଖେଳ ସମୟରେ ବିଭିନ୍ନ ଆଞ୍ଚଳିକ ଭାଷାରେ କମେଣ୍ଟ୍ରି ଆରମ୍ଭ ହୋଇଥିଲା, ଯେଉଁଥିରେ ଓଡ଼ିଆ ଭାଷା ମଧ୍ୟ ସାମିଲ ଥିଲା। ଏହା ସମସ୍ତ ଓଡ଼ିଆଙ୍କୁ ଖୁସି ଦେଇଥିଲା। ମାତ୍ର ଏଥର ଅନ୍ୟାନ୍ୟ ଆଞ୍ଚଳିକ ଭାଷା ରହିଥିବାବେଳେ ବାଦ୍‌ ପଡ଼ିଛି ଓଡ଼ିଆ ଭାଷା। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଆଇପିଏଲ୍‌ ବ୍ରଡ୍‌କାଷ୍ଟରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଓଡ଼ିଶାବାସୀ। ‘ବଏକଟ୍‌ ଜିଓ ସିନେମା, ବ୍ରିଙ୍ଗ୍‌ ବ୍ୟାକ୍‌ ଆଇପିଏଲ୍‌ ଇନ୍‌ ଓଡ଼ିଆ’ ହ୍ୟାସ୍‌ଟ୍ୟାଗ୍‌କୁ ଅନେକେ ସମର୍ଥନ ଦେବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏପରିକି ଅନେକେ ୟୁଜର୍ସ ଦିନକ ପାଇଁ ଜିଓ ସିନେମା ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ କରି ପ୍ରତିବାଦ ଜଣାଇଥିବା ସୂଚନା ମିଳିଛି। ଏପରିସ୍ଥିତିରେ ଆଇପିଏଲ୍‌ରେ ଓଡ଼ିଆ କମେଣ୍ଟ୍ରି ପୁଣି ଆରମ୍ଭ ପାଇଁ ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ କାହିଁକି ଉଦ୍ୟମ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି।
ଗତବର୍ଷ ଆଇପିଏଲ୍‌ରେ ୧୨ଟି ଆଞ୍ଚଳିକ ଭାଷାରେ ପ୍ରଥମଥର ଜିଓ ସିନେମାରେ କମେଣ୍ଟ୍ରି ଆରମ୍ଭ ହୋଇଥିଲା। ଚଳିତବର୍ଷ ୨୨ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ ମେ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଇଂଲିଶ, ହିନ୍ଦୀ, ବେଙ୍ଗଲି, ମରାଠୀ, ତେଲୁଗୁ, ତାମିଲ, ଗୁଜରାଟୀ, କନ୍ନଡ଼, ମାଲୟାଲମ୍‌, ଭୋଜପୁରୀ, ପଞ୍ଜାବୀ, ହରିୟାଣି ଆଦି ଭାଷାରେ କମେଣ୍ଟ୍ରି ହେଉଛି। ଏଥର ଓଡ଼ିଆ ଭାଷାରେ ଆଇପିଏଲ୍‌ କମେଣ୍ଟ୍ରି ଶୁଣିବାକୁ ଓଡ଼ିଆ ଦର୍ଶକ ଅପେକ୍ଷା କରିଥିଲେ ମଧ୍ୟ ନିରାଶ ହେବାକୁ ପଡିଛି। କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ କାହିଁକି ବାଦ୍‌ ପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏମିତିକି ନିଜକୁ ବଡ଼ ବଡ଼ ସାହିତି୍ୟକ ବା ଭାଷାବିତ୍‌ କହୁଥିବା ବ୍ୟକ୍ତିବିଶେଷ କାହିଁକି ଏ ନେଇ ମୁହଁ ଖୋଲୁ ନାହାନ୍ତି ବୋଲି ସୋସିଆଲ ମିଡ଼ିଆରେ ସମାଲୋଚନା ହୋଇଛି। ଜିଓ ସିନେମା ଆପ୍‌କୁ ଡିଲିଟ କରି କିଛି ରେସପନ୍ସ ପାଇବାକୁ ସାମାଜିକ ଗଣାମାଧ୍ୟମ ‘ଏକ୍ସ’ରେ ମଧ୍ୟ କେତେଜଣ ୟୁଜର୍ସ ଦିନକ ପାଇଁ ‘ଅନଇନ୍‌ଷ୍ଟଲିଙ୍ଗ ଜିଓ ସିନେମା’ ହାସ୍‌ଟ୍ୟାଗ୍‌ର ଡାକରା ଦେଇଥିଲେ। ଅନେକେ ଏହି ଆପ୍‌କୁ ଅନଇନ୍‌ଷ୍ଟଲ କରି ସ୍କ୍ରିନ୍‌ଶଟ୍‌ ମଧ୍ୟ ଶେୟାର କରିଥିଲେ। ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ଓ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଅନେକ କିଛି ଯୋଜନା କରୁଛନ୍ତି। ମାତ୍ର କେଉଁ କାରଣ ପାଇଁ ଏଥର ଓଡ଼ିଆ ଭାଷାକୁ ବାଦ୍‌ ଦିଆଯାଇଛି ସେନେଇ ରାଜ୍ୟ ସରକାର ଚୁପ୍‌ ରହିଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି।

Share