ନୂଆଦିଲ୍ଲୀ,୫।୮: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଗୁରୁବାର ନ୍ୟୁଜିଲାଣ୍ଡ ସହିତ ଏକ ସୀମିତ ଓଭର ସିରିଜ୍ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିରିଜ୍ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ସମୟରେ ଖେଳାଯିବାର ଅଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ। ଏଥିଯୋଗୁ ଆଇପିଏଲରେ ନ୍ୟୁଜିଲାଣ୍ଡ ଖେଳାଳିମାନେ ଉପଲବ୍ଧ ହେବେ କି ନାହିଁ, ସେ ନେଇ ଅନିଶ୍ଚତତା ଦେଖାଦେଇଛି।
କିନ୍ତୁ ଆଇପିଏଲ ପାଇଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ଅନୁମତି ଦିଆଯିବ ବୋଲି ଜଣେ ଫ୍ରାଞ୍ଚାଇଜ ଅଫିସିଆଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଓ୍ବିଲିୟମସନଙ୍କ ବ୍ୟତୀତ ଟିମ୍ ସେଫର୍ଟ ଓ ଲୋକି ଫର୍ଗୁସନ (କେକେଆର୍), ଜେମ୍ସ ନିଶାମ, ଆଡାମ ମିଲନେ ଓ ଟ୍ରେଣ୍ଟ ବୋଲ୍ଟ (ଏମ୍ଆଇ), କାଇଲ ଜେମିସନ (ଆରସିବି) ଓ ମିଚେଲ ସାଣ୍ଟନର (ସିଏସ୍କେ) ସେମାନଙ୍କ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିବେ। ପାକିସ୍ତାନ ଗସ୍ତ ଲାଗି ନ୍ୟୁଜିଲାଣ୍ଡ ଦଳ ଖୁବ୍ ଶୀଘ୍ର ଘୋଷଣା କରାଯିବ। ମାତ୍ର ସେଥିରୁ ଉପରୋକ୍ତ ଖେଳାଳିଙ୍କୁ ବାଦ୍ ଦିଆଯିବ ବୋଲି ଆଶା କରାଯାଉଛି।