Categories: ଖେଳ

ଆଇପିଏଲ୍‌: କ୍ରୁନାଲଙ୍କ ଆଚରଣକୁ ନାପସନ୍ଦ

ମୁମ୍ବାଇ,୨୫।୪: ଚଳତି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୫ଥର ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଦଳ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୩ ପରାଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଶୁକ୍ରବାର ମୁମ୍ବାଇ ପଞ୍ଜାବ କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା। ଦଳର ବ୍ୟାଟିଂ ବିଫଳତାକୁ ଦୁର୍ବଳ ପ୍ରଦର୍ଶନ ପାଇଁ ଦାୟୀ କରାଯାଇଛି। ଗତଥରର ଚାମ୍ପିୟନ ମୁମ୍ବାଇ ଏ ପର୍ଯ୍ୟନ୍ତ ୧୬୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିପାରିନାହିଁ।
କ୍ୱିଣ୍ଟନ ଡିକକ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ନେଇ ମୁମ୍ବାଇର ଟପ୍‌ ଅର୍ଡର ଏଥର ଚମକ ଦେଖାଇପାରି ନାହାନ୍ତି। ତେବେ ପ୍ରକୃତ ସମସ୍ୟା ରହିଛି ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କ ବିଫଳତାରେ। ହାର୍ଦ୍ଦିକ ଭଲ ବ୍ୟାଟିଂ କରିପାରୁ ନ ଥିବା ବେଳେ ବୋଲିଂ ମଧ୍ୟ କରୁନାହାନ୍ତି। ଫଳରେ ଦଳର ସନ୍ତୁଳନ ରହୁନାହିଁ। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭଲ ଖେଳିଥିଲେ ମଧ୍ୟ କୃନାଲ ଏଥର ଆଇପିଏଲ୍‌ରେ ବିଫଳ ହୋଇଛନ୍ତି। ୫ଟି ଇନିଂସରେ ସେ ୭.୨୫ ହାରରେ ୧୦୭. ୪୦ ଷ୍ଟ୍ରାଇକ ରେଟ୍‌ରେ ମାତ୍ର ୨୯ ରନ ସଂଗ୍ରହ କରିଛନ୍ତି। ପୁଣି ସ୍ପିନକୁ ସୁହାଉଥିବା ପିଚ୍‌ରେ ସେ ମାତ୍ର ୩ଟି ଉଇକେଟ ଅକ୍ତିଆର କରିଛନ୍ତି। ୧୬ ଓଭର ବୋଲିଂ କରି ସେ ୩୮.୬୬ ହାରରେ ୧୧୬ ରନ ବ୍ୟୟ କରିଛନ୍ତି। ପଡିଆରେ ତାଙ୍କର ଆକ୍ରମଣାତ୍ମକ ଆଚରଣକୁ ମଧ୍ୟ ନାପସନ୍ଦ କରାଯାଉଛି। ବୋଲିଂ କରିବା ବେଳେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଖେଳାଯାଉଥିବା ଶଟ୍‌କୁ ଧରିବାର କୌଣସି ସମ୍ଭାବନା କିମ୍ବା ଅବକାଶ ନ ଥିଲେ ମଧ୍ୟ ସେ ଫିଲ୍ଡରଙ୍କ ଉପରେ ଅସନ୍ତୋଷ ଜାହିର କରି କ୍ରୋଧ ପ୍ରକାଶ କରୁଛନ୍ତି। ତାଙ୍କର ଏହି ଅବାଞ୍ଚିତ ଆଚରଣକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଟ୍ରୋଲ କରୁଛନ୍ତି। ପଡିଆରେ ଏଭଳି ଆଚରଣ ଗ୍ରହଣୀୟ ନୁହେଁ ବୋଲି ପ୍ରଶଂସକମାନେ ଉଲ୍ଲେଖ କରିଛନ୍ତି।

Share