Categories: ଖେଳ

କ୍ୟୁରେଟର୍ସ, ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ପାଇଁ ୧.୨୫ କୋଟି ଘୋଷଣା କଲା ବିସିସିଆଇ

ମୁମ୍ବାଇ,୩୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଲାଗି ପିଚ୍‌ ଓ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ‘ପ୍ରଚ୍ଛଦପଟର ନାୟକ’ ଭାବେ ଅବିହିତ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧.୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ରବିବାର ରାତିରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ୭ଉଇକେଟରେ ହରାଇ ଗୁଜରାଟ ଟାଇଟନ୍ସ ତା’ର ପଦାର୍ପଣ ସିଜନରେ ଆଇପିଏଲ୍‌ ଟ୍ରଫି ହାତେଇଥିଲା। ”ଟାଟା ଆଇପିଏଲ-୨୦୨୨ରେ ଆମକୁ ଭଲ ମ୍ୟାଚ୍‌ ଉପଭୋଗ କରିବାକୁ ଦେଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଖୁସିର ସହିତ ୧.୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରୁଛି। ଚଳିତ ସିଜନରେ ୬ଆଇପିଏଲ ଭେନ୍ୟୁରେ ଗ୍ରାଉଣ୍ଡ ପ୍ରସ୍ତୁତ କରିଥିବା ଆମ କ୍ୟୁରେଟର ଓ ଗ୍ରାଉଣ୍ଡ୍ସମ୍ୟାନ୍‌ ହେଉଛନ୍ତି ପ୍ରଚ୍ଛଦପଟର ନାୟକ। ଚଳିତ ସିଜନରେ ଆମେ କିଛି ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ୍‌ ଦେଖିଛୁ। ଏଥିଯୋଗୁ ମୁଁ ସେମାନଙ୍କ କଠିନ କାର୍ଯ୍ୟ ପାଇଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଦେଉଛି। କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ), ଓ୍ବାଙ୍ଖଡେ, ଡିଓ୍ବାଇ ପାଟିଲ, ଏମ୍‌ସିଏ ଏବଂ ପୁଣେର ଗ୍ରାଉଣ୍ଡ୍ସମ୍ୟାନ୍‌ ଓ କ୍ୟୁରେଟରଙ୍କୁ ୨୫ ଲକ୍ଷ ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ। ସେହିଭଳି ଇଡେନ ଗାର୍ଡେନ ଓ ନରେନ୍ଦ୍ର ମୋଦି ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କୁ ୧୨.୫ ଲକ୍ଷ ଲେଖାଏ ଦିଆଯିବ“ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ଟୁଇଟ୍‌ କରିଛନ୍ତି। ପ୍ରଥମଥର ପାଇଁ ବିସିସିଆଇ ଗ୍ରାଉଣ୍ଡ୍ସମ୍ୟାନଙ୍କ ଲାଗି ଅର୍ଥରାଶି ଘୋଷଣା କରିଛି।

Share