ମେଲବୋର୍ନ, ୭।୧୦(ପି.ଟି.): ଆଗାମୀ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳୁଥିବା କେତେଜଣ ତାରକା ଅଷ୍ଟ୍ରେଲିଆ ଖେଳାଳି ନାଲି ବଲ୍ରେ ଅଭ୍ୟାସ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍, ଡେଭିଡ୍ ଓ୍ବାର୍ନର ଓ ଦ୍ରୁତ ବୋଲର ପ୍ୟାଟ୍ କୁମିନ୍ସ, ଜୋଶ ହାଜେଲଉଡ, ଜେମ୍ସ ପାଟିନସନ ଏହି ସିରିଜ ପୂର୍ବରୁ ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତି କରିପାରିବେ ନାହିଁ। ଏହି କ୍ରିକେଟରମାନେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଏବେ ଆଇପିଏଲ୍ ଖେଳୁଛନ୍ତି। ନଭେମ୍ବର ୧୦ ତାରିଖରେ ଆଇପିଏଲ୍ ଶେଷ ହେବ। ଏହାପରେ ଖେଳାଳିମାନେ ସ୍ବଦେଶ ଫେରିଲେ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ରହିବେ। ତେଣୁ ଟେଷ୍ଟ ସିରିଜ ପୂର୍ବରୁ ଖେଳାଳିମାନେ ନାଲି ବଲ୍ରେ ଅଭ୍ୟାସ କରିବାର ସୁଯୋଗ ପାଇବେ ନାହିଁ। ତେବେ ଏହା ଆଦୌ ସମସ୍ୟା ସୃଷ୍ଟି କରିବନାହିଁ ବୋଲି ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍ ପାଇନ୍ କହିଛନ୍ତି। ଧଳାରୁ ନାଲି ବଲ୍ କ୍ରିକେଟକୁ ଯିବାରେ ଖେଳାଳିଙ୍କ ପାଇଁ ଆଦୌ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ସେ କହିଛନ୍ତି। ନଭେମ୍ବରରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା କୋଭିଡ୍-୧୯ ମହାମାରୀ କାରଣରୁ ସ୍ଥଗିତ ରହିଛି।