ଚମକାଇଦେଲେ ନବୀନ, ରାଇରାଙ୍ଗପୁରରୁ IPS ପ୍ରାର୍ଥୀ

ରାଇରଙ୍ଗପୁର,୫।୪: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଏହି ନିର୍ବାଚନ ମଣ୍ଡଳୀ । କାରଣ ଏହି ଆସନକୁ ହାତେଇବାକୁ ବିଜେଡି ପୁଣି କସରତ ଆରମ୍ଭ କରିଛି । ବିଜେଡି ଏଠାରୁ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିଛି । ଯିଏ ୨୦୨୩ ମସିହାରେ ପୋଲିସ ଡିସିପି ପଦରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ସାମିଲ ହୋଇଥିଲେ । ଆଉ ଏବେ ଏହି ଆସନରୁ ସେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ହେଉଛନ୍ତି ରାଇସେନ ମୁର୍ମୁ।

ବାଙ୍ଗିରପୋଷି ଆସନରୁ ବିଧାୟକ ଥିବା ସୁଦାମ ମାରାଣ୍ଡିଙ୍କୁ ବିଜେଡି ଏମପି ପ୍ରାର୍ଥୀ ଭାବେ ଟିକେଟ ଦେଇଥିବା ବେଳେ ରାଇରଙ୍ଗପୁର ଆସନରୁ ଭାଜପା ବିଧାୟକ ଥିବା ନବ ଚରଣ ମାଝିଙ୍କୁ ଭାଜପା ଏମପି ପ୍ରାର୍ଥୀ କରିଛି । ରାଇସେନ ମୁର୍ମୁ ବର୍ତ୍ତମାନ ଏହି ଆସନ ପାଇଁ ନୂଆ ଚେହେରା । ତେଣୁ ବିଜେଡି ତାଙ୍କୁ ଏହି ଆସନରୁ ଟିକେଟ ଦେଇ ଏହି ଆସନରୁ ବାଜି ମାତ କରିବାକୁ ଲକ୍ଷ୍ୟ ରଖିଛି ।

ତେବେ ଏହି ଆସନରେ ବଡ ଲଢେଇ ଦେଖିବାକୁ ମିଳିପାରେ । କାରଣ ଦଳ ଏଥର ବାସନ୍ତି ମାରାଣ୍ଡିଙ୍କୁ ପ୍ରାର୍ଥୀ ନକରି ରାଇସେନ ମୁର୍ମୁଙ୍କୁ ଟିକେଟ ଦେଇଛି । ଭାଜପା ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ କିଏ ଏହି ଆସନରୁ ରାଇସେନ ମୁର୍ମୁଙ୍କ ପ୍ରତିଦ୍ୱନ୍ଦ୍ୱି ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

Share