ଆଇପିଏସ୍‌ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ

ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା ତାଲିକା ଗଡୁଛି। ଅଧିକାଂଶ ଥାନାର ପୋଲିସକୁ ହାତବାରିସ କରି ବିଲ୍ଡରମାନେ ସାଧାରଣ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିନେଉଛନ୍ତି। ଶହଶହ ଏକର ଜମି ଜବରଦଖଲ କରୁଛନ୍ତି। ଏବେ ଖୋଦ୍‌ ପୋଲିସ ଠକେଇର ଶିକାର ହୋଇଛି। ଜଣେ ଆଇପିଏସ୍‌ ଅଫିସର ଭୁବନେଶ୍ୱରରେ ଘରଟିଏ ପାଇବା ଆଶାରେ ୩ ଲକ୍ଷ ହରାଇଛନ୍ତି। ସାଧାରଣ ଅଭିଯୋଗକୁ ଗ୍ରହଣ କରିବାକୁ କୁନ୍ଥୁକୁନ୍ଥୁ ହେଉଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ ବଡ଼ବାବୁଙ୍କ ଅଭିଯୋଗ ପାଇବା ପରେ ତତ୍ପର ହୋଇପଡିଛି। ବିଲ୍ଡର ରାଜେଶ ଅମ୍ବାନୀ ଓ ଅନ୍ୟ କେତେଜଣଙ୍କ ନାମରେ ଆଇପିସି ଦଫା ୪୧୯, ୪୨୦, ୫୦୬ ଓ ୩୪ରେ ମାମଲା (ନଂ.୨୨୮/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଠକେଇ ଫାଶରେ ଫସିଥିବା ଆଇପିଏସ୍‌ ଅଫିସର ହେଲେ ୧୯୮୮ ବ୍ୟାଚ୍‌ର ରବି କାନ୍ତ। ସେ ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ସ୍ପେଶାଲ ରେସିଡେଣ୍ଟ କମିଶନର ଅଫିସ୍‌ରେ ରେସିଡେଣ୍ଟ କମିଶନର ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ବିଲ୍ଡର ରାଜେଶ ଅମ୍ବାନୀଙ୍କ ସହ ଫୋନ୍‌ରେ ତାଙ୍କର ଯୋଗାଯୋଗ ହୋଇଥିଲା। ସାରା ଦେଶରେ ତାଙ୍କର ଗ୍ୟାସ୍‌ ଏଜେନ୍ସି ଥିବା ସହ ଅନେକ ବଡ଼ ବଡ଼ ଘର ଓ ଜମି ପ୍ରୋଜେକ୍ଟ କାମ ଚାଲିଥିବା କହି ରାଜେଶ ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ଭୁବନେଶ୍ୱରରେ ଏକାଧିକ ପ୍ରୋଜେକ୍ଟ କରି ଲୋକଙ୍କୁ ଯୋଗାଇଥିବା ଶୁଣି ନିଜ ପାଇଁ ଘରଟିଏ
ପାଇବାକୁ ରାଜେଶଙ୍କୁ କହିଥିଲେ ରବି କାନ୍ତ। ଏଥିପାଇଁ ସେ ୨୦୧୭ ଅକ୍ଟୋବର ୨୫ରେ ବିଲ୍ଡର ରାଜେଶଙ୍କୁ ୩ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ। ୨୦୧୮ ଫେବୃୟାରୀ ଓ ମାର୍ଚ୍ଚରେ ଉକ୍ତ ଦୁଇ ଚେକ୍‌କୁ ଜମା କରି ବିଲ୍ଡର ଜଣକ ଟଙ୍କା ଉଠାଇନେଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ଦେଇ ନ ଥିଲେ। ତାଙ୍କୁ ରବିକାନ୍ତ ଫୋନ୍‌ କରି ଟଙ୍କା ଫେରାଇବାକୁ କହିଥିଲେ ମଧ୍ୟ ସେ ଧରାଛୁଅଁା ଦେଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଆଇପିଏସ୍‌ ଅଫିସର ରବି କାନ୍ତ ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ହେଲେ ଉଭୟଙ୍କ ମଧ୍ୟରେ ମାମଲାର ଆପୋସ ସମାଧାନ ହୋଇଗଲାଣି କହି କଥାକୁ ଏଡାଇ ଯାଇଥିଲେ।

Share