ଅଭିନେତା ଅମିର ଖାଁଙ୍କ ଝିଅ ଇରା ଏବେ ଡିପ୍ରେସନ୍ରେ ଅଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକ ବିବ୍ରତ ହୋଇଥିଲେ। ଭିଡିଓ ମାଧ୍ୟମରେ ଇରା କହିଛନ୍ତି ଗତ ଚାରି ବର୍ଷ ହେବ ସେ ଡିପ୍ରେସନ ସହ ସଂଘର୍ଷ କରୁଛନ୍ତି। ଇରାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ଇରା ମାନସିକ ସ୍ବାସ୍ଥ୍ୟ ଦିବସ ଅବସରରେ ସେ ନିଜ ଜୀବନର ଯନ୍ତ୍ରଣାକୁ ସମଗ୍ର ବିଶ୍ୱ ସହ ବାଣ୍ଟିଛନ୍ତି। ହେଲୋ ମୁଁ ଗତ ଚାରି ବର୍ଷ ହେବ ଡିପ୍ରେସନ୍ରେ ଅଛି। ଡାକ୍ତରଙ୍କୁ ଦେଖାଉଛି। ମୁଁ ବର୍ତ୍ତମାନ ଭଲ ଅଛି। ଯେଉଁମାନେ ଏହି ରୋଗ ସହ ଲଢୁଛନ୍ତି ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି। ଭିଡିଓ ଶେଷରେ, ସେ ଏକ ପ୍ରଶ୍ନ ଛାଡିଛନ୍ତି – ମୋର ସବୁକିଛି ଅଛି ତେବେ ମୁଁ କାହିଁକି ହତାଶ? ତେବେ ଇରା ଖାଁଙ୍କ ଏହି ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ଆସୁଛି। ସମସ୍ତେ ଇରାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ନିଜ ଡିପ୍ରେସନ୍ ବିଷୟରେ ଖୋଲାଖୋଲି କହିବା ସହଜ ନୁହେଁ। ଇରା କିନ୍ତୁ ଏହା କହିବାରେ ସଙ୍କୋଚ କରିନାହାନ୍ତି ବୋଲି ତାଙ୍କ ପ୍ରଶଂସକ କହିଛନ୍ତି।