ଅଭିନେତ୍ରୀଙ୍କୁ ଗିରଫ କଲା ଇରାନ

କାଇରୋ,୧୯।୧୨: ଇରାନ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ମିଥ୍ୟାର ପ୍ରସାର କରୁଥିବା ଅଭିଯୋଗରେ ଦେଶର ଖ୍ୟାତନାମା ଅଭିନେତ୍ରୀ ତାରାନେହ ଆଲିଦୁସ୍ତିଙ୍କୁ ଗିରଫ କରାଯାଇଛି। ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ ଦି ସେଲ୍ସମ୍ୟାନ୍‌’ରେ ଆଲିଦୁସ୍ତି ଅଭିନୟ କରିଛନ୍ତି। ବିକ୍ଷୋଭ ବେଳେ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଇରାନ କର୍ତ୍ତୃପକ୍ଷ ନିକଟରେ ଫାଶୀ ଦେଇଥିଲେ। ସପ୍ତାହେ ପୂର୍ବରୁ ଅଭିନେତ୍ରୀ ଆଲିଦୁସ୍ତି ତାଙ୍କୁ ସମର୍ଥନ କରି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ।

ଏଥିପାଇଁ ଶନିବାର ଇରାନ ପୋଲିସ ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ସରକାର ବିରୋଧୀ ଆନ୍ଦୋଳନକୁ ସମର୍ଥନ କରିବା ଅଭିଯୋଗରେ ଫୁଟବଲ୍‌ ଖେଳାଳି, ଅଭିନେତା ଏବଂ ଲୋକଙ୍କୁ ପ୍ରଭାବିତ କରୁଥିବା ସେଲିବ୍ରିଟିଙ୍କୁ ଗିରଫ କରାଯାଇଥିଲା। ଆଲିଦୁସ୍ତି ତାଙ୍କ ଦାବି ସମ୍ପର୍କିତ ଦସ୍ତାବିଜ ଦେଖାଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ସରକାରୀ ଗଣମାଧ୍ୟମ ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ କୁହାଯାଇଛି।

Share