ଇରାନ ସମର୍ଥିତ ଇସ୍‌ଲାମିକ ଜେହାଦ

ତେଲ ଆଭିଭ୍‌, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ ଏବେ ୨ ଦିନ ହେଲା ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଇରାନ୍‌ ସମର୍ଥିତ ପାଲେଷ୍ଟିନୀୟ ଇସ୍‌ଲାମିକ୍‌ ଜେହାଦ ଆତଙ୍କବାଦୀ ଗୋଷ୍ଠୀକୁ ଟାର୍ଗେଟ କରି ଇସ୍ରାଏଲ ରକେଟ ମାଡ଼ କରିବା ପରେ ଏହି ଗ୍ରୁପ୍‌ ପାଲଟା ଆକ୍ରମଣ କରି ଶତାଧିକ ରକେଟ ମାଡ଼ କରିଛି। ପାଲେଷ୍ଟାଇନରୁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବା ପ୍ରମୁଖ ସଙ୍ଗଠନ ହମାସ୍‌ ହୋଇଥିବାବେଳେ ଇସ୍‌ଲାମିକ୍‌ ଜେହାଦ ଏହି ଗୋଷ୍ଠୀକୁ ଅନୁକରଣ କରିଥାଏ। ଇସ୍‌ଲାମିକ୍‌ ଜିହାଦକୁ ଇରାନ୍‌ ପକ୍ଷରୁ ଆର୍ଥିକ ଓ ସାମରିକ ସହାୟତା ମିଳିଥାଏ। ଅନ୍ତର୍ଜାତୀୟ ସ୍ତରରେ ପାଲେଷ୍ଟାଇନ ମାନ୍ୟତା ପାଇବା ପରେ ହମାସ ୨୦୦୭ରେ ଗାଜା ଦଖଲ କରିଥିଲା। ଇସ୍ରାଏଲକୁ ଟାର୍ଗେଟ କରିବା ପାଇଁ ଇରାନ ଇସ୍‌ଲାମିକ୍‌ ଜେହାଦ ସଦସ୍ୟଙ୍କୁ ତାଲିମ ଦେବା ସହ ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ। କେନ୍ଦ୍ରୀୟ ଇସ୍ରାଏଲସ୍ଥିତ ତେଲ ଆଭିଭ୍‌ର ମେଟ୍ରୋପଲିଟାନ୍‌ ଅଞ୍ଚଳରେ ଆକ୍ରମଣ କରିବା ପାଇଁ ଦୀର୍ଘ ରେଞ୍ଜ୍‌ର ରକେଟ୍‌ ଇରାନ୍‌ ଏହି ଆତଙ୍କବାଦୀ ସଙ୍ଗଠନକୁ ଯୋଗାଇଛି। ଏହି ରକେଟ ଯୋଗେ ଇସ୍‌ଲାମିକ ଜେହାଦ ଆକ୍ରମଣ ଯୋଜନା କରିଥିବା ଇସ୍ରାଏଲକୁ ଖବର ମିଳିବା ପରେ ସଦ୍ୟ ସଂଘର୍ଷ ଆରମ୍ଭ ହୋଇଛି।

Share