ଇରାନରେ ୪ ଜଣଙ୍କୁ ଫାଶୀ, ଇସ୍ରାଏଲ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ତେହେରାନ,୪ ।୧୨: ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଇରାନରେ ରବିବାର ୪ ଜଣଙ୍କୁ ଫାଶୀ ଦିଆଯାଇଛି । ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ଇରାନର ସୁପ୍ରିମ କୋର୍ଟ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ପାଇଁ କାମ କରିବା ଓ ଲୋକଙ୍କୁ ଅପହରଣ କରିଥିବା ଅଭିଯୋଗ କରି ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ।

ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଇରନାର ସୂଚନା ଅନୁଯାୟୀ, ଯେଉଁ କଥିତ ଗୁପ୍ତଚରଙ୍କୁ ଫାଶୀ ଦିଆଯାଇଛି, ସେମାନେ ହେଲେ ଶାହିନ ଇମାନି ମୋହମଦାବାଦୀ, ହୁସେନ ଓରଦୋଖାନଜାଦା, ମିଲାଦ ଅଶରଫି ଓ ମନୌଚେହର ଶାହବନ୍ଦି । ରୁଭୋଲ୍ୟୁଶନରୀ ଗାର୍ଡ(ଇରାନୀ ସେନା) ଗୁପ୍ତଚର ଅଭିଯୋଗରେ ଏମାନଙ୍କୁ ଗିରଫ କରିଥିଲା ଓ ଅଭିଯୋଗ ହୋଇଥିଲା କି ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ଜଡିତ ଥିଲେ । ରିଭୋଲ୍ୟୁଶନରୀ ଗାର୍ଡ ଏମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ କ୍ରିପ୍ଟୋକରେନ୍ସି ଜବତ କରିଥିବା ଦାବି କରାଯାଇଥିଲା, ଯାହା ସେମାନଙ୍କୁ ମୋସାଦଠାରୁ ମିଳିଥିଲା ।
ଇରାନ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏମାନେ ଲୋକଙ୍କୁ ଭୁଲାଇ ସେମାନଙ୍କଠାରୁ ସରକାରୀ ତଥ୍ୟ ହାସଲ କରୁଥିଲେ । ସୂଚନାଯୋଗ୍ୟ, ଇରାନ ଓ ଇସ୍ରାଏଲ ପରସ୍ପରର ବଡ ଶତ୍ରୁ ।

Share