ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ବୋମା କି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ଜଣାପଡ଼ିଛି। ତେବେ ବିମାନର ସୁରକ୍ଷିତ ଅବତରଣ ପରେ ଇରାନ, ପାକିସ୍ତାନ, ଭାରତ ଓ ଚାଇନାର ସୁରକ୍ଷା ଏଜେନ୍ସିଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ନିର୍ଦ୍ଧାରିତ ସମୟରେ ବିମାନଟି ଗୁଆଙ୍ଗଝୋଉରେ ପହଞ୍ଚିଛି ବୋଲି ଇରାନର ମହାନ ଏୟାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ସୂଚନାଯୋଗ୍ୟ, ସୋମବାର ଇରାନର ତେହେରାନରୁ ଡବ୍ଲୁ୫୮୧ ବିମାନ ଚାଇନାର ଗୁଆଙ୍ଗଝୋଉକୁ ଉଡାଣ ଭରିଥିଲା। ପ୍ରାୟ ୯ଟା ୨୦ମିନିଟ୍‌ରେ ଯେତେବେଳେ ବିମାନଟି ଭାରତ ଏୟାରସ୍ପେସ୍‌ରେ ପହଞ୍ଚିଥିଲା ସେହି ସମୟରେ ବିମାନର ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଯେ, ବିମାନରେ ଏକ ବୋମା ଅଛି। ଏଥିସହ ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ପାଇଲଟ ଅନୁମତି ମାଗିଥିଲେ। ଏହା ଶୁଣି ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲ ତୁରନ୍ତ ସତର୍କ ହୋଇଯାଇଥିଲା। ଏଥିସହ ସେ ତୁରନ୍ତ ସୁରକ୍ଷା ଏଜେନ୍ସି ଏବଂ ଭାରତୀୟ ବାୟୁସେନାକୁ ସୂଚନା ଦେଇଥିଲା। ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ବାୟୁସେନା ଏହି ବିମାନକୁ ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ଦେଇ ନ ଥିଲା। ଉକ୍ତ ବିମାନକୁ ଜୟପୁର କିମ୍ବା ଚଣ୍ଡିଗଡ଼ରେ ଅବତରଣ କରିବାକୁ କୁହାଯାଇଥିଲା। ହେଲେ ପାଇଲଟ ସେଠାରେ ଅବତରଣ କରିବାକୁ ମନା କରିଦେଇଥିଲେ। ସେ କେବଳ ଦିଲ୍ଲୀରେ ଅବତରଣ କରିବାକୁ ଚାହୁଁଥିଲେ। ଏହାପରେ ବାୟୁସେନା ତୁରନ୍ତ ଯୋଧପୁର ଏୟାରବେସରୁ ୨ଟି ସୁଖୋଇ ବିମାନକୁ ଆଲର୍ଟ ରହିବା ସହ ଉକ୍ତ ବିମାନକୁ ଘେରିବାକୁ ନିର୍ଦ୍ଦେଶ ଦେଇଥିଲା।

Share