ପ୍ରଦର୍ଶନକାରୀ ମହିଳାଙ୍କ ସୁନ୍ଦରତା ନଷ୍ଟ କରିବାକୁ ଗୁଳି କରୁଛି ଇରାନ ପୋଲିସ

ତେହେରାନ,୧୧ ।୧୨: ଇରାନରେ ହିଜାବ ବିରୋଧି ପ୍ରଦର୍ଶନ ମଧ୍ୟରେ ସରକାର ମୋରୈଲିଟି ପୋଲିସକୁ ଭାଙ୍ଗି ଦେଇଛନ୍ତି । ଏହା ମହିଳାଙ୍କ ପାଇଁ ବଡ ବିଜୟ ବୋଲି କୁହାଯାଉଛି । ଏହି ବିଜୟ ପାଇଁ ମହିଳାମାନେ ବଡ ଧରଣର ତ୍ୟାଗ କରିଛନ୍ତି । ପୋଲିସ ପ୍ରଦର୍ଶନ କରୁଥିବା ମହିଳାଙ୍କ ପ୍ରତି ଖୁବ୍ ବର୍ବରତା କରିଛି । ମହିଳାଙ୍କ ସୁନ୍ଦରତାକୁ ନଷ୍ଟ କରିବାକୁ ପୋଲିସ ଚେଷ୍ଟା କରିଛି ।
ଇରାନର ଡାକ୍ତରମାନଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଦ ଗାର୍ଡିୟନ ତା’ର ରିପୋର୍ଟରେ କହିଛି ଇରାନର ପୋଲିସ ମହିଳାଙ୍କ ସୁନ୍ଦରତାକୁ ନଷ୍ଟ କରୁଛନ୍ତି । ବିରୋଧ କରୁଥିବା ମହିଳାଙ୍କ ଉପରେ ସୁରକ୍ଷାକର୍ମୀମାନେ ସେମାନଙ୍କ ମୁହଁ, ଆଖି ଏମିତିକି ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି । ସେହିପରି ପୁରୁଷଙ୍କ ପିଠି, ଗୋଡ ଓ ପ୍ରାଇଭେଟ ପାର୍ଟକୁ ଟାର୍ଗେଟ କରାଯାଉଛି ।
ପ୍ରଦର୍ଶନକାରୀଙ୍କୁ ଗୁପ୍ତ ଭାବେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଇରାନ ପୋଲିସ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ପ୍ରଦର୍ଶନକାରୀଙ୍କୁ ଟାର୍ଗେଟ କରୁଛନ୍ତି । ଜଣେ ଡାକ୍ତର କହିଛନ୍ତି, ଚିକିତ୍ସା ସମୟରେ ମୁଁ ଅନୁଭବ କରିଛି ଇରାନ ପୋଲିସ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି । ଅନ୍ୟଜଣେ ଡାକ୍ତର ଦାବି କରିଛନ୍ତି ଯେ ଇରାନ ପୋଲିସ ମହିଳାଙ୍କ ସୁନ୍ଦରତା ନଷ୍ଟ କରିବାକୁ ସେମାନଙ୍କୁ ଗୁଳି କରୁଛନ୍ତି । ଏମିତିକି ସେମାନଙ୍କ ପ୍ରାଇଭେଟ ପାର୍ଟକୁ ଟାର୍ଗେଟ କରାଯାଉଛି । ତେବେ ଏହାର ଚିକିତ୍ସା କଷ୍ଟକର ହୋଇପଡୁଛି ବୋଲି ଡାକ୍ତର କହିଛନ୍ତି ।

Share