ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଇରାନ ରାଷ୍ଟ୍ରପତିଙ୍କ ଇଣ୍ଟରଭ୍ୟୁ ନେବାକୁ ଆମେରିକାର ଜଣେ ମହିଳା ନ୍ୟୁଜ ଆଙ୍କର ସମସ୍ତ ପ୍ରସ୍ତୁତି କରି ସାରିଥିଲେ । ହେଲେ ଏହି ଇଣ୍ଟରଭ୍ୟୁରେ ରାଷ୍ଟ୍ରପତି ଇବ୍ରାହିମ ରଇସ ମହିଳା ନ୍ୟୁଜ ଆଙ୍କରଙ୍କ ସାମ୍ନାରେ ହିଜାବ ପିନ୍ଧିବାକୁ ସର୍ତ୍ତ ରଖିଥିଲେ । ହେଲେ ନ୍ୟୁଜ ଆଙ୍କର ଏହାକୁ ଗ୍ରହଣ କରି ନ ଥିଲେ । ସେ ହିଜାବ ପିନ୍ଧିବାକୁ ସଫା ସଫା ମନା କରି ଦେଇଥିଲେ । ତେଣୁ ସମସ୍ତ ପ୍ରସ୍ତୁତି ପରେ ବି ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ଇଣ୍ଟରଭ୍ୟୁ ହୋଇପାରି ନ ଥିଲା ।

ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଅମନପୋର ଦାବି କରିଛନ୍ତି, ସେ ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର ସେ ନେଇ ପାରିଲେନି କାରଣ ରାଷ୍ଟ୍ରପତିଙ୍କ ସହଯୋଗୀ ତାଙ୍କୁ ହେଡସ୍କାର୍ଫ ପିନ୍ଧିବାକୁ କହିଲେ ।
ସୂଚନାଯୋଗ୍ୟ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ପ୍ରଥମଥର ଲାଗି ଆମେରିକା ମାଟିରେ ଏକ ଇଣ୍ଟରଭ୍ୟୁ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ହିଜାବ ବିବାଦ ଓ ନ୍ୟୁକ୍ଲିୟର ଡିଲକୁ ନେଇ ପ୍ରଶ୍ନବାଣରେ ଘେରି ହୋଇ ପଡିଥାଆନ୍ତେ ରାଷ୍ଟ୍ରପତି । ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ । କାରଣ ରାଷ୍ଟ୍ରପତି ଇବ୍ରାହିମ ରଇସି ଇରାନ ହେଉ ବା ଆମେରିକା ତାଙ୍କ କଟ୍ଟରପନ୍ଥି ଏଜେଣ୍ଡାରୁ ବାହାରି ପାରୁ ନାହାନ୍ତି । ସୂଚନା ଅନୁଯାୟୀ, ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଅମନପୋର ଆମେରିକାର ନାମୀ ନ୍ୟୁଜ ଚ୍ୟାନେଲ ସିଏନଏନର ଜଣେ ନାମୀ ନ୍ୟୁଜ ଆଙ୍କର । ଖ୍ରୀଷ୍ଟିଆନେଙ୍କ ସହ ଆମେରିକାରେ ଇରାନ ରାଷ୍ଟ୍ରପତିଙ୍କର ଏକ ଇଣ୍ଟରଭ୍ୟୁ ଫିକ୍ସ ହୋଇ ସାରିଥିଲା । ହେଲେ ଇଣ୍ଟରଭ୍ୟୁ ଟାଇମ ବହୁ ବିଳମ୍ବ ହୋଇଥିଲେ ବି ରାଷ୍ଟ୍ରପତି ଚ୍ୟାନେଲ ଅଫିସରେ ପହଞ୍ଚି ନ ଥିଲେ ।
ଏହାପରେ ଯାହା ହେଲା ସାରା ବିଶ୍ୱର ନଜରକୁ ଆସିଗଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି । ନ୍ୟୁଜ ଆଙ୍କର ଖ୍ରୀଷ୍ଟିଆନେ ଏକ ଟୁଇଟରେ ଲେଖିଲେ କି ଇଣ୍ଟରଭ୍ୟୁ ଟାଇମ ୪୦ ମିନିଟ ପରେ ଇରାନ ରାଷ୍ଟ୍ରପତିଙ୍କ ଜଣେ ସହଯୋଗୀ ଆସିଥିଲେ । ସେ କହିଥିଲେ ରଇସି କହିଛନ୍ତି ଇଣ୍ଟରଭ୍ୟୁ ସମୟରେ ଆପଣଙ୍କୁ ହେଡସ୍କାର୍ଫ ପିନ୍ଧିବାକୁ ପଡିବ । କାରଣ ଏବେ ମହରମ ଓ ସଫରର ମାସ ଚାଲିଛି । ହେଲେ ଖ୍ରୀଷ୍ଟିଆନେ ଏହାକୁ ଗ୍ରହଣ କରି ନ ଥିଲେ । ସେ ରାଷ୍ଟ୍ରପତିଙ୍କ ସହଯୋଗୀଙ୍କୁ କହିଥିଲେ ଏହା ନ୍ୟୁୟର୍କ ଇରାନ ନୁହେଁ । ଏଠାରେ ହିଜାବ ପିନ୍ଧିବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଯଦିଓ ଖ୍ରୀଷ୍ଟିଆନେଙ୍କ ପିତା ଇରାନ ବାସିନ୍ଦା ହେଲେ ସେ ହିଜାବ ପିନ୍ଧିବାକୁ ସଫା ସଫା ମନା କରି ଦେବାରୁ ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍ କାର କାର୍ଯ୍ୟକ୍ରମ ହୋଇପାରି ନ ଥିଲା ।

Share