Categories: ଖେଳ

ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି, ଯେଉଁଥିରେ ଅଗଷ୍ଟ ୧୩ରୁ ୧୫ ଯାଏ ପ୍ରତିଟି ବ୍ୟକ୍ତି ନିଜ ଘରେ ତ୍ରିରଙ୍ଗା ଉଡାଉଛନ୍ତି। ଅନେକ ସେଲିବ୍ରିଟି ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ଏବେ ଭାରତର ପୂର୍ବତନ କ୍ରିକେଟର ଇରଫାନ୍‌ ପଠାନଙ୍କ ନାମ ଏଥିରେ ଯୋଡ଼ି ହୋଇଛି।

ଇରଫାନ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ସମସ୍ତ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି। ସେ ନିଜେ ମଧ୍ୟ ଘରେ ତ୍ରିରଙ୍ଗା ଲଗାଇଥିବା ଭିଡିଓରେ ଦେଖାଯାଉଛି। କ୍ରିକେଟର କହିଛନ୍ତି, ତ୍ରିରଙ୍ଗା ମୋର ଗର୍ବ, ତ୍ରିରଙ୍ଗା ମୋର ଜୀବନ। ପ୍ରତିଟି ଭାରତୀୟ ହୃଦୟରୁ ଗାଆନ୍ତୁ ‘ତ୍ରିରଙ୍ଗା ମୋର ଅଭିଯାନ। ଆସନ୍ତୁ ସମସ୍ତେ ଏକାଠି ହୋଇ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା। ଘରେ ତ୍ରିରଙ୍ଗା ଉଡାଇବା।

ସୋସିଆଲ ମିଡିଆରେ ଇରଫାନ୍‌ଙ୍କ ଏହି ଭିଡିଓ ବେଶ ଭାଇରାଲ ହେଉଛି। ପ୍ରଶଂସକମାନେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି।

Share