Categories: ଖେଳ

ପ୍ରଶ୍ନ ଉଠାଇଲେ ଇରଫାନ୍‌; ଯଦି ଆୟର-କିଶନ ବାଦ୍‌ ପଡ଼ିଲେ, ତେବେ ପାଣ୍ଡ୍ୟା କାହିଁକି ନୁହେଁ…

ନୂଆଦିଲ୍ଲୀ,୨୯।୨: ରଣଜୀ ଟ୍ରଫି ଖେଳିବାର ଆଦେଶ ପାଳନ ନ କରିବାକୁ ନେଇ ଈଶାନ କିଶନ ଏବଂ ଶ୍ରେୟସ ଆୟରଙ୍କୁ ବିସିସିଆଇ କେନ୍ଦ୍ରୀୟ ଅନୁବନ୍ଧ(କଣ୍ଟ୍ରାକ୍ଟ)ରୁ ବାଦ ଦିଆଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ୍‌। ଦଳର ଅନ୍ୟ ଖେଳାଳି ଯେପରିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହି ମାନଦଣ୍ଡ ନ ଥିଲା ବୋଲି ସେ କହିଛନ୍ତି।

୨୦୧୮ରୁ ଗୋଟିଏ ବି ଟେଷ୍ଟ ମ୍ୟାଚ୍‌ ଖେଳି ନାହାନ୍ତି ପାଣ୍ଡ୍ୟା। ତଥାପି ତାଙ୍କୁ କଣ୍ଟ୍ରାକ୍ଟରେ ‘ଏ’ ଗ୍ରେଡ୍‌ ମିଳିଛି। ହେଲେ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଈଶାନ ଏବଂ ଶ୍ରେୟାସ ବାଦ୍‌ ପଡ଼ିଛନ୍ତି। ଏନେଇ ଘୋଷଣା କରାଯିବା ପରେ ଇରଫାନ ନିଜର ସୋସିଆଲ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି, ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ଲାଲ୍‌ ବଲ୍‌ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ତେବେ କ’ଣ ତାଙ୍କୁ ଏବଂ ତାଙ୍କ ଭଳି ଅନ୍ୟମାନଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ନ ଖେଳିବାକୁ ଚାହୁଁଥିଲେ ଧଳା ବଲ୍‌ର ଘରୋଇ କ୍ରିକେଟ ଖେଳିବା ଆବଶ୍ୟକ। ଯଦି ଏସବୁ ଲାଗୁ ଲାଗୁ ହୋଇ ନ ଥାନ୍ତା ତେବେ ଭାରତୀୟ କ୍ରିକେଟକୁ ଇଚ୍ଛାମୁତାବକ ଫଳାଫଳ ମିଳିବ ନାହିଁ। ଉଭୟ ଶ୍ରେୟସ ଏବଂ ଈଶାନ ପ୍ରତିଭାବାନ ଖେଳାଳି ହୋଇଥିବାରୁ ସେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସେ କହିଛନ୍ତି।

କହିରଖୁଛୁ, ଗତ ବର୍ଷ ଡିସେମ୍ବରରେ ଈଶାନ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିବା ପରେ ଝାଡ଼ଖଣ୍ଡ ଲାଗି ରଣଜୀ ଟ୍ରଫି ଖେଳିବାକୁ ଆସି ନ ଥିଲେ। ଏପରିକି ସେ ହାର୍ଦ୍ଦିକଙ୍କ ସହ ଆଇପିଏଲ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଥିବା ଦେଖାଯାଇଛି।

Share