ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା

ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ ଥିବା ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ସାହିବାସିନ୍ଦା ଚୁଆପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଦାୟିତ୍ୱରେ ଥିବା ଅଧିକାରୀ ପ୍ରତିଶ୍ରୁତି ଦେଇ ନୀରବ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ସାହିରେ ୩୦ ପରିବାର ରହୁଥିବା ବେଳେ ଗୋଟିଏ ନଳକୂପ ରହିଛି। ନଳକୂପ ପାଣିରେ ଲୌହ ଅଂଶ ରହୁଥିବାରୁ ତାହାକୁ ପିଇବା ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ। ଫଳରେ ସାହିବାସିନ୍ଦା ଏକ ଚୁଆ ଖୋଳି ବର୍ଷସାରା ସେଠାରୁ ଜଳ ସଂଗ୍ରହ କରୁିଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ମନୋଜ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।