କରୁଥିଲେ ଆଇରନ୍‌ ପିଲେଟ୍ ଚୋରା ଚାଲାଣ: ଧରାପଡିିଲେ ୩ ଅଭିଯୁକ୍ତ

ବଡ଼ବିଲ,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ବଲାଣି-ବଡ଼ବିଲ ମୁଖ୍ୟ ରାସ୍ତାଦେଇ ଆଇରନ୍‌ ପିଲେଟ୍ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସ କରି ୧୭ମେଟ୍ରିକ ଟନ୍‌ ଆଇରନ ପିଲେଟ୍ ସହ ହାଇଓ୍ବା ଟ୍ରକ୍‌ ସହ ଏସ୍‌କର୍ଟ କରୁଥିବା ଏକ ବୋଲେରୋ ଗାଡିକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତାଙ୍କଠାରୁ ୩ଟି ମୋବାଇଲ ଫୋନ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ସରାଇକେଲା ଅଞ୍ଚଳର ରୌନକ କୁମାର, ଯୋଡ଼ା ଶହୀଦନଗର ଅଞ୍ଚଳର ପ୍ରଶାନ୍ତ ରାଜ ଓରଫ ଭୁଣ୍ଡୁ ଏବଂ ଯୋଡ଼ା ବନେଇକଳା ଅଞ୍ଚଳରେ ରହୁଥିବା ରାଜୁ ବିନ୍ଧାଣୀ। ମିଳିଥିବା ସୂଚନା ମୁତାବକ, ଗୁରୁବାର ଭୋରରେ ବଡ଼ବିଲ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ହାଇଓ୍ବା ଟ୍ରକ ଯୋଗେ ବେଆଇନ ଭାବେ ଆଇରନ୍‌ ପିଲେଟ୍ ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା। ଏନେଇ ପୋଲିସ ବଲାଣି-ବଡ଼ବିଲ ମୁଖ୍ୟ ରାସ୍ତାରେ ଥିବା ହୋଟେଲ ଲକି ଇଣ୍ଡିଆ ନିକଟରେ ଅଟକି ରହିଥିଲା। ସେତିକିବେଳେ ପୋଲିସ ଆଇରନ୍‌ ବୋଝେଇ ହାଇଓ୍ବା ଟ୍ରକ୍‌ ( ଜେଏଚ୍‌୦୫ଡବ୍ଲୁ-୪୦୧୭) ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳେ ୧୭ ମେଟ୍ରିକ ଟନ୍‌ ଆଇରନ୍‌ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରିକି ଟ୍ରକ୍‌କୁ ଏସ୍‌କର୍ଟ କରୁଥିବା ଏକ ବୋଲେରୋ ଗାଡି (ଓଆର୦୯ଏମ୍‌-୭୬୨୨)କୁ ପୋଲିସ ଜବତ କରିଛି। ପୋଲିସ ଘଟଣାସ୍ଥଳରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି। ଏନେଇ ବଡ଼ବିଲ ଥାନା ପୋଲିସ ଏକ ମାମଲା(ନଂ. ୬୯/୨୦୨୩) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।