Categories: ଜାତୀୟ

ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ଛାଡ଼ପତ୍ର ଦେଇ ପାରିବେନି ସ୍ବାମୀ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଚେନ୍ନାଇ,୩।୧ : ସ୍ତ୍ରୀଙ୍କର ସନ୍ତାନ ନ ହେବା ଭାଗ୍ୟର ବିଡ଼ମ୍ବନା, ଏନେଇ ତାଙ୍କୁ ସ୍ବାମୀ ଛାଡ଼ପତ୍ର ଦେଇ ପାରିବେନି। ଏଭଳି କ୍ଷେତ୍ରରେ ସ୍ବାମୀଙ୍କ ପ୍ରତି ସ୍ତ୍ରୀ କ୍ରୁରତା କରିଥିବା କୁହାଯାଇ ପାରିବ ନାହିଁ। ଗର୍ଭାଶୟ କ୍ୟାନସର ରୋଗରେ ଆକ୍ରାନ୍ତ ହେବା ପରେ ଜଣେ ବିବାହିତା ମହିଳା ତାଙ୍କ ଗର୍ଭାଶୟକୁ ବାହାର କରିଦେଇଥିଲେ। ଯାହା ଦ୍ୱାରା ସେ ଗର୍ଭଧାରଣ କରିବାରେ ଅସମର୍ଥ ହୋଇଥିବାରୁ ଏହାକୁ ତାଙ୍କ ସ୍ବାମୀଙ୍କ ପ୍ରତି ମାନସିକ ନିର୍ଯାତନା ବୋଲି କୁହାଯାଇପାରିବ ନାହିଁ ମାଡ୍ରାସ ହାଇକୋର୍ଟ କହିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଜଷ୍ଟିସ ଆରଏମଟି ଟେକା ରମଣ ଏବଂ ମଦୁରାଇ ବେଞ୍ଚର ପି.ବି ବାଲାଜୀ ପରିବାର କୋର୍ଟଙ୍କର ଏକ ରାୟକୁ କାଏମ ରଖିଛନ୍ତି। ସ୍ବାମୀ ନିଜ ଉପରେ ମାନସିକ ନିର୍ଯାତନା ଦର୍ଶାଇ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ସ୍ତ୍ରୀଙ୍କର ସନ୍ତାନ ପ୍ରସବ କରିବାରେ ଅସମର୍ଥତା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ମାନସିକ ନିର୍ଯାତନା ବୋଲି ସ୍ବାମୀ ଆବେଦନରେ ଉଲ୍ଲେଖ କରିଥିଲେ।

ତେବେ ହାଇକୋର୍ଟ କହିଛନ୍ତି ମହିଳା ଜଣକ ତାଙ୍କ ବିବାହ ପରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏହି ନିବେଦନକୁ ଖାରଜ କରିବାରେ ପରିବାର କୋର୍ଟ ଠିକ ରାୟ ପ୍ରଦାନ କରିଛନ୍ତି। ବିବାହ ପୂର୍ବରୁ ତାଙ୍କର ଏସମ୍ପର୍କିତ କୌଣସି ଲକ୍ଷଣ ନ ଥିଲା ଏବଂ ତେଣୁ ସେ କୌଣସି ଚିକିତ୍ସା ସୂଚନାକୁ ଲୁଚାଇଥିବା କୁହାଯାଇପାରିବ ନାହିଁ। ଏହା ସ୍ତ୍ରୀଙ୍କର ଯୋଜନାବଦ୍ଧ କାର୍ଯ୍ୟ ନୁହେଁ। ଏହା ଭାଗ୍ୟର ବିଡ଼ମ୍ବନା ବୋଲି ହାଇକୋର୍ଟ କହିଛନ୍ତି।

Share