ଇରପିନ୍‌ ପାଲଟିଲା ଧ୍ୱଂସସ୍ତୁପ, ୭୧ ପ୍ରତିଶତ କୋଠା ଧରାଶାୟୀ…

କ୍ୱିଭ୍‌, ୧୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୩ ଦିନରେ ପହଞ୍ଚିଛି। ଉଭୟ ପକ୍ଷ ସୈନ୍ୟବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ରୁଷିଆ ସୈନ୍ୟ ଏବେ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ମାରିଆପୋଲ, ଡୋନେଟସ୍କ, ଲୁହାନସ୍କ ସହରଗୁଡ଼ିକ ଉପରେ ବୋମାମାଡ଼ କରାଯାଉଛି। ମାରିଆପୋଲ ସ୍ଥିତି ସବୁଠାରୁ ଖରାପ ହୋଇଥିବା ମିଡ଼ିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସହରକୁ ଦଖଲ କରିବା ପାଇଁ ରୁଷିଆ ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛି।

ସେହିପରି ଇରପିନ୍‌ ସହର ଉପରେ ଲଗାତାର ରୁଷିଆ ଯୁଦ୍‌ଧ ବିମାନ ବୋମାମାଡ଼ କରୁଛି। ଫଳରେ ଏହି ସହର ଏବେ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଏଠାରେ ଥିବା ୭୧ ପ୍ରତିଶତରୁ ଅଧିକ କୋଠା ଧରାଶାୟୀ ହୋଇଛି। ଉଦ୍ଧାରକାରୀ ଦଳ ଧ୍ୱଂସସ୍ତୁପରୁ ଜୀବନ ସନ୍ଧାନ କରୁଥିବାରୁ କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ଇରପିନ ମେୟର ଆଲେକ୍ସଜାଣ୍ଡାର୍‌ ମାର୍କୁସିନ କହିଛନ୍ତି ଯେ ସହରର ୧୦୦୦ରୁ ଅଧିକ କୋଠା ନଷ୍ଟ ହୋଇଯାଇଛି। ସେଥିମଧ୍ୟରୁ ପ୍ରାୟ ୧୧୫ ଟି ସଂପୂର୍ଣ୍ଣ ରୂପେ ମାଟିରେ ମିଶି ଯାଇଛି । ଦିନେ ଚଳ ଚଞ୍ଚଳ ଥିବା ଇରପିନ୍‌ ସହର ଏବେ ଶ୍ରୀହୀନ ହୋଇ ପଡ଼ିଥିବା ସେ କହିଛନ୍ତି।

ୟୁକ୍ରେନର ମାରିଅପୋଲ ସହରରେ ଏକ ଲକ୍ଷରୁ ଅଧିକ ଲୋକ ଭୋକ ଓ ଶୋଷରେ ରହିଛନ୍ତି। ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଏଠାରେ ଖାଦ୍ୟ, ଜଳ ଏବଂ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ନାହିଁ।

Share