ବାଲି ସଇରାତ ନ ଥାଇ ବେଆଇନ ବାଲି ଉଠାଣ

ମାହାଙ୍ଗା ୭ା୧୨(ସ୍ବ.ପ୍ର.): ମାହାଙ୍ଗା ତହସିଲରେ ବେଆଇନ୍‌ ବାଲି ଉଠାଣ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ତହସିଲ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାହାଙ୍ଗାର ବିଭିନ୍ନ ବାଲିଘାଟରୁ ବାଲି ଉଠାଯାଇ ଟ୍ରିପ ଟ୍ରିପ ବାହାର ଜିଲାକୁ ଚାଲାଣ କରାଯାଉଛି ା ମାହାଙ୍ଗା ବ୍ଲକ ଦ୍ୱିପାଞ୍ଚଳ କୁମୁଡାଜୟପୁର ଫାଣ୍ଡି ନିକଟ ପୁରୁଣା ନଦୀଘାଟ ଓ ଭୋଳିଦାସପୁର ନଦୀଘାଟରେ ଦିନବେଳା ଗାଡ଼ି ନମ୍ବକୁ ଅସ୍ପଷ୍ଟ କରି କିଛି ଲୋକଙ୍କ ଦ୍ୱାରା ବାଲି ଉଠାଯାଉଥିବାବେଳେ ରାତିରେ ଚାଲାଣ ହେଉଛି। ଏଥିଯୋଗୁ ସରକାରଙ୍କ ବହୁ ରାଜସ୍ବ ହାନି ହେଉଛି। ରାଜସ୍ବ ନିରୀକ୍ଷକ, ପୋଲିସ ସହ ବାଲି ମାଫିଆଙ୍କ ଭିତରେ ବୁଝାମଣା ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ଜୟପୁରୁ ପୁରୁଣା ଘାଟ ଓ ଭୋଳିଦାସପୁର ଆଦି ଅଞ୍ଚଳରୁ ବାଲି ମାଫିଆମାନେ ନିର୍ଭୟରେ ବାଲି ଉଠାଇ ମାଲେମାଲ ହେଉଛନ୍ତି। ଏଥିଯୋଗୁ ଏହା ନିକଟରେ ଥିବା ନଦୀ ବନ୍ଧ ରାସ୍ତା ନଷ୍ଟ ହେବାରେ ଲାଗିଛି। ମାତ୍ର ବାଲି ମାଫିଆମାନେ ଚୋରାରେ ବାଲିଉଠାଣ ନିମନ୍ତେ ନଦୀ ମଧ୍ୟକୁ ଯିବା ପାଇଁ ନଦୀବନ୍ଧକୁ କାଟି ରାସ୍ତା ନିର୍ମାଣ କରିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ନଦୀବନ୍ଧ ପ୍ରତି ବିପଦ ଆଶଙ୍କା ରହିଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବେଆଇନ ବାଲି ଉଠାଣ ବନ୍ଦ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଉମାକାନ୍ତ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ସେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ଏକ ଟିମ୍‌ ପଠାଇଥିଲେ। ସମ୍ପୃକ୍ତ ଟିମ୍‌ ବାଲିଘାଟ ନିକଟକୁ ନାମକୁ ମାତ୍ର ଯାଇ ଫେରି ଆସିଥିତ୍ବା ଜଣାପଡ଼ିଛି।

Share