ବଡ଼ମ୍ବା,୨୪।୭(ମାୟାଧର ମଲ୍ଲିକ): ବଡ଼ମ୍ବା ବ୍ଲକରେ ସ୍ବଳ୍ପ ଓ ଅନିୟମିତ ବୃଷିପାତ ଚଳିତ ବର୍ଷ କୃଷି ଓ କୃଷକଙ୍କ ଉପରେ ଦାଉ ସାଧିଛି। ଫଳରେ ଶତାଧିକ ଏକର ଚାଷ ଜମି ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି। ବର୍ଷାକୁ ଚାହିଁ ଚାଷୀ ଜମିରେ ତଳି କରି ଖରଡ଼ି ବୁଣା କରିଥିଲେ। ପାଣି ଅଭାବରୁ ତଳି ସବୁ ହଳଦିଆ ପଡ଼ିବାକୁ ବସିଲାଣି। ଫଳରେ ତଳି ରୋଇବା ପାଇଁ ଅପେକ୍ଷା କରିଥିବା ଚାଷୀ ଆଗକୁ କ’ଣ କରିବେ ସେ ସମ୍ପର୍କରେ କିଛି ଜାଣିପାରୁନାହାନ୍ତି। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। ଏ ସମ୍ପର୍କରେ ଚାଷୀ ସନାତନ ସାହୁ କହିଛନ୍ତି, ଚଳିତ ବର୍ଷ ବଡ଼ମ୍ବାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଧିକାଂଶ ଜମିରେ ଗଜାମରୁଡି ହୋଇଯାଇଛି। ସେହିପରି ଚାଷୀ ମାୟାଧର ରାଉତ କହିଛନ୍ତି, ବଡ଼ମ୍ବା ଅଞ୍ଚଳରେ ଅନିୟମିତ ଓ ସ୍ବଳ୍ପ ବୃଷ୍ଟିପାତ ନେଇ ଗହୀରରେ ଥିବା ଅର୍ଦ୍ଧାଧିକ ଜମି ଚାଷ ନ ହୋଇ ପଡ଼ିଆ ପଡ଼ିଛି। ଶ୍ରାବଣ ମାସ ପ୍ରାୟ ଶେଷହେବାକୁ ବସିଥିବାବେଳେ ବଡ଼ମ୍ବା ଅଞ୍ଚଳରେ ଏପର୍ଯ୍ୟନ୍ତ ବିହୁଡା ବେଉଷଣ ହୋଇନାହିଁ। ଗତ ଦୁଇଦିନ ଅଞ୍ଚଳରେ କିଛି ମାତ୍ରାରେ ବର୍ଷା ହୋଇଥିଲେ ମଧ୍ୟ ତାହା ଜମିକୁ ବେଙ୍ଗ ମୂତ୍ର ସଦୃଶ। ପାଣି ଅଭାବରୁ ବିହୁଡା ବେଉଷଣ ପାଇଁ ସମ୍ପୂର୍ଣ ନିଅଣ୍ଟ ହେଉଛି। ଏଥିଯୋଗୁ ଚାଷକାର୍ଯ୍ୟ ଠିକ୍ ଭାବେ ହୋଇପାରିନାହିଁ ବୋଲି ଚାଷୀ ବିହାରୀ ମଲ୍ଲିକ କହିଛନ୍ତି। ଏ ସମ୍ପର୍କରେ ଚାଷୀ ନବକିଶୋର ମହାନ୍ତି କହିଛନ୍ତି, ଚଳିତ ବର୍ଷ ଚାଷ ଅବସ୍ଥା ଏପରି ହୋଇଛ ିଯେ ଚାଷର ବିହନ ମୁଠାଏ ପାଇବା ଆଶା ମଉଳିବାକୁ ଲାଗିଛି। ଏନେଇ ସରକାର କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।